Unknown

 

 

 

 

 

 

 

 

 

ସଙ୍ଗୀତମାଳା

ଭକ୍ତକବି ମଧୁସୂଦନ ରାଓ

 

ନିବେଦନ

 

ଯେଉଁ ଅନନ୍ତ ଅଭୟାମୃତ ଚରଣୋଦ୍ଦେଶ୍ୟରେ ଦେବୋପମ ସାଧୁଭକ୍ତ ଋଷିମାନଙ୍କର ହୃଦୟରୂପ ନନ୍ଦନ-କାନନର ଅପୂର୍ବ ସୌରଭ-ପରିପୂର୍ଣ୍ଣ ମହୋତ୍ସବମୟ ପୁଣ୍ୟସଙ୍ଗୀତ ପାରିଜାତମଳା ଯୁଗେ ଯୁଗେ ଭକ୍ତିଭରେ ଅର୍ପିତ ହୋଇଅଛି, ସଂସାରଧୂଳିନିମଗ୍ନ ଦୀନହୀନ ଏହି ନୀରସ ଅଭକ୍ତ ପ୍ରାଣର ଲାଳିତ୍ୟସୌରଭହୀନ ଏହି କେତୋଟି ସଙ୍ଗୀତ ସେହି ବିଶ୍ୱଜନନ ନିତ୍ୟସୁନ୍ଦର ବିଶ୍ୱବନ୍ଦିତ ଚରଣକମଲୋଦ୍ଦେଶ୍ୟରେ ଉତ୍ସୃଷ୍ଟ ହେଲା ।

 

‘‘ସଙ୍ଗୀତମାଳା’’ ବ୍ରାହ୍ମସମାଜର ଷଟ୍‌ଷଷ୍ଟିତମ ମାଘୋତ୍ସବ ଉପଲକ୍ଷରେ ପ୍ରକାଶିତ ହେଲା । ଏଥିରେ ଯେଉଁ ଶତଗୋଟି ସଙ୍ଗୀତ ସନ୍ନିବେଶିତ ହୋଇଅଛି, ସେଥିମଧ୍ୟରୁ ପ୍ରାୟ ୪୦ଟି ସଙ୍ଗୀତ ବିଭିନ୍ନ ସମୟରେ ଲିଖିତ ହୋଇ ପୁସ୍ତକ ପତ୍ରିକାଦିରେ ପ୍ରକାଶିତ ହୋଇଥିଲା । ଅବଶିଷ୍ଟ ସଙ୍ଗୀତଗୁଡ଼ିକ ‘‘ସମ୍ୱଲପୁରହିତୈଷିଣୀ’’ର ସୁଯୋଗ୍ୟ ସମ୍ପାଦକ ସ୍ୱଦେଶବତ୍ସଳ ମୋର ସୋଦର-ପ୍ରତିମ ବନ୍ଧୁ ଶ୍ରୀଯୁକ୍ତ ପଣ୍ଡିତ ନୀଳମଣି ମିଶ୍ର ମହାଶୟଙ୍କର ସସ୍ନେହ ପୁଣ୍ୟପ୍ରବର୍ତ୍ତନାରେ ଗତ ଛଅମାସ ମଧ୍ୟରେ ଲିଖିତ ହୋଇଅଛି । ତାହାଙ୍କର ସେହି ପବିତ୍ର ପ୍ରୀତିପୂର୍ଣ୍ଣ ଉତ୍ତେଜନା ନିମିତ୍ତ ମୁଁ ଚିରଋଣୀ ରହିଲି ।

 

‘‘ସଙ୍ଗୀତମାଳାର’’ ପ୍ରାୟ ସମସ୍ତ ସଙ୍ଗୀତ ଓଡ଼ିଆ ଓ ବଙ୍ଗଳା ରାଗିଣୀରେ ରଚିତ । କେବଳ ତିନୋଟି ସଂସ୍କୃତ ଛନ୍ଦରେ ଏବଂ ତିନୋଟି ସୌରାଷ୍ଟ୍ର ଅଞ୍ଚଳର ‘ବନ୍ଦନା’ର ଅନୁକରଣରେ ଲିଖିତ । ବଙ୍ଗୀୟ ସଙ୍ଗୀତ ଲେଖକମାନେ ଅନ୍ୟାନ୍ୟ ଭାଷାର ରାଗିଣୀବୃତ୍ତ ପ୍ରଭୃତି ଗ୍ରହଣ କରି ତଦନୁସାରେ ନିଜ ଭାଷାରେ ଅନ୍ୟ ଭାଷାର ରାଗିଣୀ ସଂସୃଷ୍ଟ ସଙ୍ଗୀତ ଲେଖିବା ଦୋଷାବହ ବୋଲି ବିବେଚିତ ହେବ ନାହିଁ ।

 

ମୁଁ ନିଜ ସଙ୍ଗୀତଶାସ୍ତ୍ରଜ୍ଞ ନ ଥିବାରୁ ଏବଂ ଉକ୍ତ ବିଦ୍ୟାରେ ପ୍ରବୀଣ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ଗ୍ରହଣ କରିବାର ସୁବିଧା ଓ ଅବସର ପାଇ ନ ଥିବାରୁ ଅନେକଗୁଡ଼ିଏ ସଙ୍ଗୀତର ରାଗିଣୀ ଓ ତାଳ ନିର୍ଦ୍ଦେଶ କରିପାରିନାହିଁ । ପୁଣି ମୋର ଆଶଙ୍କା ହେଉଅଛି ଯେ, ଅନେକ ସ୍ଥଳରେ ରାଗିଣୀ ଓ ତାଳ ଯଥାଯଥ ନିର୍ଦ୍ଧିଷ୍ଟ ହୋଇନାହିଁ । ଉଲ୍ଲେଖିତ ତ୍ରୁଟି ଓ ଭ୍ରମ ନିମିତ୍ତ ପାଠକଙ୍କର କ୍ଷମା ପ୍ରାର୍ଥନା କରୁଅଛି । ପରିଶେଷରେ ବକ୍ତବ୍ୟ ଏହି ଯେ, ଏହି ‘‘ସଙ୍ଗୀତମାଳା’’ ଦ୍ୱାରା ଜଣକର ସୁଦ୍ଧା ହୃଦୟରେ କ୍ଷଣକ ନିମିତ୍ତ ଈଶ୍ୱରପ୍ରୀତି ଉଦ୍‌ବୋଧିତ ହେଲେ ମୋର ସମସ୍ତ ଶ୍ରମ ସଫଳ ଜ୍ଞାନ କରିବି ।

 

କଟକ,୧୧ ମାଘ,

ଶକାବ୍ଦ ୧୮୧୭

ଶ୍ରୀ ମଧୁସୂଦନ ରାଓ

•••

 

(୧)

(ଭାଟିଆରୀ – ଆଡ଼ତାଳୀ)

ଏ ଜୀବନ ନୁହେଁ ବୃଥା ଖେଳା

ଚେତରେ ବହନ ଗଲା ବେଳା,

ପ୍ରତି ନିମେଷରେ ଯାଉଅଛି ଚାଲି

ଧର ରେ ନ କର ଲବେ ହେଳା ।

ସ୍ୱପ୍ନ ମାୟା ନୁହେ ଏ ଭୁବନ,

ଏ ମହାଶିକ୍ଷାର ନିକେତନ,

ଯେବେ ଆରେ ଜୀବ ଆସିଛୁ ଏଠାକୁ

ସାଧି ଯା ବିଧିର ଇଷ୍ଟଲୀଳା ।

ଅତୀତର ବୃଥା ଭାବନାରେ

ଅବା ଭବିଷ୍ୟର ଛଳନାରେ

ନ ଭୁଲରେ ଭାଇ ବର୍ତ୍ତମାନ ଥାଇ

ଲକ୍ଷ ସ୍ଥିର କର ଫେଡ଼ି ଡୋଳା ।

ବିଳାସ ଆଳସ୍ୟ ପରିହର

ମହାଜନମାର୍ଗ ଅନୁସରି

ଜଗତର ସେବା କର ପ୍ରାଣପଣେ

ଏ ଜଗତ ନୁହେ ମିଛ ମେଳା ।

ପ୍ରଭୁ କାର୍ଯ୍ୟ ସାଧି ନିରନ୍ତର

ହୁଅ ନିତି ନିତି ଅଗ୍ରସର,

ଭବ-ସିନ୍ଧୁ ତରି ଯାଅ ପରଲୋକ

ଧରି ହରି-ପାଦପଦ୍ମ-ଭେଳା ।

•••

 

(୨)

(ଲଳିତ ବିଭାସ – ଏକତାଳୀ)

ପାହିଲାଣି ରାତି ପ୍ରେମାନନ୍ଦେ ମାତି

ଗାଅରେ ଭାରତୀ ସୁମଙ୍ଗଳ ଗୀତ,

ଉଠ ନରନାରୀ ସ୍ମରି ହିତକାରୀ

ପାପାତାପହାରୀ ପ୍ରାଣେଶ ଚରିତ ।

ଧୀରେ ଧୀରେ ଜ୍ୟୋତି ଲଭି ବସୁମତୀ

ପୂଜେ ବିଶ୍ୱପତି ପ୍ରେମ-ଭକ୍ତିଭରେ,

ସୁରଭି ସମୀରେ ଢାଳି ଧୀରେ ଧୀରେ

ବିମଳ ଶିଶିରେ ବନ୍ଦେ ଶ୍ରୀପୟରେ ।

ନାନାବିଧ ଛନ୍ଦେ ଧରଣୀ ଆନନ୍ଦେ

ଭକ୍ତିଭରେ ବନ୍ଦେ ବିହଙ୍ଗକଣ୍ଠରେ,

ଏ ପବିତ୍ର କାଳେ ନବପୁଷ୍ପମାଳେ

ଆନନ୍ଦରେ ଢାଳେ ବିଭୁ ଚରଣରେ ।

ନବୀନ ଆଶାରେ ସରବେ ସଂସାରେ

ବିଭୁ ପ୍ରଶଂସାରେ ରସ ନରନାରୀ,

 

ଏ ଶୁଭ ପ୍ରଭାତେ ଯୋଡ଼ିବେନି ହାତେ

ଡାକି ପ୍ରାଣନାଥେ ଲଭ ଶାନ୍ତି-ବାରି ।

•••

 

(୩)

(ରାଗିଣୀ ଲଳିତ – ତାଳ ଆଡ଼ାଠେକା)

ଆଜି ଏ ଆକାଶ ପୂରି

 

ଅମୃତ ମଧୁର ରବେ

କି ବୀଣା ବାଜଇ ଘୋଷି

 

ଜାଗରେ ଜାଗ ସରବେ ।

ଘୋର ମୋହ-ନିଦ୍ରା ତେଜି,

 

ଏ ଅମୃତ ବାଣୀ ହେଜି

ଅମୃତର ଅଧିକାରୀ

 

ଉଠ ହେ ଉଠ ମାନବେ ।

ଅସତ୍ୟର ଅଧୀନତା

 

ପାପତାପର ହୀନତା

ଅଧର୍ମର ନାଗପାଶ

 

ଖଣ୍ଡି ଦଣ୍ଡକେ ସରବେ ।

ଫିଙ୍ଗି ଦୂରେ ମୋହରାଶି

 

ଉଠ ହେ ଭାରତବାସୀ,

ବିଧାତାର ଆଶୀର୍ବାଦ

 

ଲଭିବ ଯଦି ଏ ଭବେ ।

ଫେଡ଼ି ନେତ୍ର ଦେଖ ବାରେ,

 

ନାଶି ପାପ-ଅନ୍ଧକାରେ

ବିରାଜିତ ମୁକ୍ତିଦାତା

 

ପୁଣ୍ୟ ମହିମା ଗୌରବେ ।

ମହାନନ୍ଦେ ନରନାରୀ

 

ତାଙ୍କରି ଜୟ ଉଚ୍ଚାରି

ପବିତ୍ର ଶୁଭସମ୍ପଦ

 

ଭୁଞ୍ଜ ମହାମହୋତ୍ସବେ ।

•••

 

(୪)

(କାମୋଦୀ–ଆଦିତାଳ)

ଜଗଦ୍‌ବାସୀ ନରନାରୀ ଆସ ଆସ ବହନ,

ଅମୃତ ସଙ୍ଗୀତ ଆଜି ଶୁଣ ଡେରି ଶ୍ରବଣ ।

ଜୀବର ମୁକ୍ତିସମ୍ୱାଦ ସ୍ୱର୍ଗର ବିଜୟନାଦ

ରହିଅଛି ପୂରି ଆଜ ଏ ପୃଥିବୀ ଗଗନ ।

କହନ୍ତି ବ୍ରହ୍ମାଣ୍ଡେଶ୍ୱର ମୋହ-ନିଦ୍ରା ପରିହର

ଜାଗ ଜାଗ ଜଗଦ୍‌ବାସୀ ଫେଡ଼ି ପ୍ରେମ-ଲୋଚନ ।

ଦେଖ ପ୍ରେମ-ହସ୍ତ ମୋର ଘୋର ପାପବଦ୍ଧ ଡୋର

କ୍ଷଣକେ ଛିଣ୍ଡାଇ ତୋର କରୁଅଛି ମୋଚନ ।

ବିପୁଳ ଅବନୀକ୍ଷେତ୍ରେ ଉଭାହୋଇ ପ୍ରେମ-ନେତ୍ରେ

ଦେଖ ବ୍ରହ୍ମବିଧାନର ପୁଣ୍ୟ ଅବତରଣ ।

ସର୍ବଯୁଗଧର୍ମସାର ବ୍ରାହ୍ମଧର୍ମ ମହୋଦାର

ଅଧୀନତା ଅନ୍ଧାକାର କରୁଅଛି ହରଣ ।

ଦେଶ-ବର୍ଣ୍ଣ-ଜାତିଭେଦ ସର୍ବ ଅପ୍ରେମ ବିଚ୍ଛେଦ

ବିନାଶି, ପ୍ରେମର ରାଜ୍ୟ କରୁଅଛି ସ୍ଥାପନ ।

ଅସତ୍ୟର କାରାଗାର ଅବନୀର ଦୁଃଖଭାର

ହିଂସା ମଦ ଅ୍ରହଙ୍କାର ସଂହାରୁଛି ବହନ ।

 

ପ୍ରେମେ ପୁଣ୍ୟେ ଜ୍ୟୋତିର୍ମୟ ପବିତ୍ର ସତ୍ୟ ନିଳୟ

ଏ ବିଧାନ ମୁକ୍ତିମୟ ଉଜଳଇ ଭୁବନ ।

ମହାସମନ୍ୱୟକାରୀ ସାଧୁଭକ୍ତଚିତ୍ତହାରୀ

ଇହପରକାଳ-ସେତୁରୂପେ ରାଜେ ଶୋଭନ ।

ଆସ ଉତ୍ତର ଦକ୍ଷିଣ ଆସ ପୂରୁବ ପଶ୍ଚିମ

ଆସ ଦୁଃଖୀ ପରାଧୀନ ଆସ ହେ ନିଖିଳ ଜନ ।

ଆସ ଆସ ବେଗେ ଧାଇଁ ଭୟ ନାହିଁ ଭୟ ନାହଁ

ମୁକ୍ତିରାଜ୍ୟ ଅବତୀର୍ଣ୍ଣ ଘେନ ଘେନ ଶରଣ ।

•••

 

(୫)

 

ବାଜଇ, ଆହା ଆନନ୍ଦବୀଣା ମହାଗଗନେ,

ସେ ମହାତାନେ ଭୁବନପ୍ରାଣ ନାଚେ ସଘନେ ।

ତାଳେ ତାଳେ ରବି ଚନ୍ଦ୍ରମା ତାରା

ନାଚନ୍ତି ଢାଳିଣ କିରଣଧାରା,

ଦ୍ୟୁଲୋକ ଧରା ପୁଲକଭରା ଧ୍ୱନି ଶ୍ରବଣେ ।

ପୁଲକେ ଚପଳା ଚମକେ ମେଘେ,

ଅନ୍ତରୀକ୍ଷେ ବାୟୁ ବହଇ ବେଗେ,

ପୁଲକ ଉପୁଜେ ମର୍ମେ ମର୍ମେ ଗିରି କାନନେ ।

ସଙ୍ଗୀତଲହରୀ ବିବିଧଛନ୍ଦେ

ଉଛୁଳଇ ବିଶ୍ୱେ ମହାଆନନ୍ଦେ

ବର୍ଷ ଋତୁ ମାସ ପକ୍ଷ ଦିନ ଅୟନେ ।

ସେ ବୀଣାର ସ୍ୱରତରଙ୍ଗପ୍ଳାବେ

ଚିଦାନନ୍ଦମୟ ଅତୁଳଭାବେ

ଦେବ ଋଷି ଭକ୍ତ ସାଧୁ କବି ଜୀବନେ ।

•••

 

(୬)

 

(ଭାଟିଆରୀ–ଆଡ଼ତାଳୀ)

ଗାଅ ସର୍ବେ ତାଙ୍କରି ମହିମା ଜୟ ଜୟ ରବେ

ସେ ଅନାଥନାଥ ଭଗବାନ

ତାଙ୍କ ବିନା ଭବେ ନାହିଁ ତ୍ରାଣ;

ପ୍ରେମାନନ୍ଦେ ମାତି       ସେ ଅଭୟପଦେ

ଏ ଜୀବନେ କର ବଳିଦାନ ।

ହୃଦୟନନ୍ଦନ ପ୍ରାଣରାମ

ପ୍ରାଣେଶ୍ୱର ପ୍ରାଣସଖା ନାମ

ଭଜ ନିରନ୍ତର ଜୀବନ ମରଣେ

ସେ ଏକା ଶରଣ ଶାନ୍ତିଧାମ ।

ତାଙ୍କ ପାଦପଦ୍ମ ଆଶ୍ରାକରି

ଯିବା ସର୍ବେ ଭବ-ସିନ୍ଧୁ ତରି;

ସେ ଅଭୟଦାତା ତାରିବେ ନିମିଷେ

ସର୍ବ ପାପତାପ ଭୟ ହରି ।

ଅସୀମ ଆକାଶେ ଜଳେ ସ୍ଥଳେ

ତାଙ୍କ ଶ୍ରୀଚରଣ ଛାୟାତଳେ,

ମହୀମାର ଲୀଳା ଲାଗିଛି ସନ୍ତତ

ଦେଖି ଭାସେ ଭକ୍ତ ଅଶ୍ରୁଜଳେ ।

•••

 

(୭)

 

(ରେ ଗୁପ୍ତ–ତ୍ରିପଟା)

ମୋ ମନ-ସୁମନ ଦେଇ

 

ହରିପଦ ପୂଜିବି ରେ ।

ଅଧମତାରଣ ହରି,

 

ଏ ଅଧମେ କୃପା କରି,

ଆସିବେ ହୃଦକୁଟୀରେ,

 

ମହାନନ୍ଦେ ମଜ୍ଜିବି ରେ ।

ସେ ବିଶ୍ୱମୋହନ ମୁଖ

 

ଦେଖି ପାସୋରିବି ଦୁଃଖ,

ନରକର କୀଟ ମୁହିଁ

 

ଦେବଭାବ ଭଜିବି ରେ ।

ଅନାଇଥିବି ତାହାଙ୍କୁ,

 

କହିବି ପ୍ରାଣନାହାଙ୍କୁ,

ସେ ପଦରାଜୀବ ଛାଡ଼ି

 

କାହିଁ ଆଉ ନ ଯିବି ରେ ।

•••

 

(୮)

 

(ଝଁଝିଟ–ଠୁମ୍‌ରି)

ଧ୍ୟାନ କର ପ୍ରାଣ ମମ

 

ସତ୍ୟ ଶିବ ସୁନ୍ଦରେ;

ଦଗ୍‌ଧ ଚିତ୍ତ ମଗ୍ନ ହୁଅ

 

ଶାନ୍ତି-ସୁଧା-ସାଗରେ ।

ସ୍ନାନ କର ତପ୍ତ ପ୍ରାଣ

 

ପୁଣ୍ୟ ସୁଧାନିର୍ଝରେ,

ସେ ଅମୃତପାନେ ତୃଷା

 

ତୃପ୍ତ କର ନିର୍ଭରେ ।

 

•••

 

(୯)

 

ଏ ଘୋର ଗହନେ ଭବେ ମହାହାହାକାର ରବେ

କାହିଁକି ଭ୍ରମୁଛୁ ଦଗ୍‌ଧପ୍ରାଣେ ।

କରୁଣାବରୁଣାଳୟ       ବିଧାତା ମଙ୍ଗଳମୟ

ସେ ସତ୍ୟ ସୁନ୍ଦର ସଖା’ଛନ୍ତି ସନ୍ନଧାନେ ।

ଦଗ୍‌ଧ ପ୍ରାଣର ବିଶ୍ରାମ ଆତ୍ମାର ଆନନ୍ଦଧାମ

ଲୋଡ଼ ରେ ବ୍ୟାକୁଳଚିତ୍ତେ ସେହି ପ୍ରାଣାରାମେ ।

ଆସରେ ଆସରେ ପାଶେ ଫେଡ଼ିବି ତୋ ଦୁଃଖ-ପାଶେ

ବୋଲି ଡାକୁଛନ୍ତି ସଖା ଶୁଣ ଶୁଣ ଧ୍ୟାନେ ।

•••

 

(୧୦)

 

(ଲଳିତ–ଆଡ଼ାଠେକା)

ଆସ ଆସ ଆସ ଭାଇ

 

ବ୍ରହ୍ମ ପ୍ରେମକନିକତନେ,

ପୂଜିବା ଆନନ୍ଦେ ମିଳି

 

ପ୍ରେମମୟ ଶ୍ରୀଚରଣେ ।

କ୍ଷୁଦ୍ର ନିଚ ଅହଙ୍କାର,

 

ହିଂସା କ୍ରୋଧାଦି ବିକାର,

କୁଟିଳ ସ୍ୱାର୍ଥ ବିଚାର

 

ନ ରହୁ କାହାରି ମନେ ।

କ୍ଷମାସିନ୍ଧୁ ହରି ନିଜେ

 

ହୃଦୟେ କରନ୍ତୁ ବିଜେ,

ବିକାଶନ୍ତୁ କ୍ଷମା-ବୀଜେ

 

ସନ୍ତାନ ହୃଦ-କାନନେ ।

ବ୍ରହ୍ମସତ୍ୟର ବାରତା

 

ବ୍ରହ୍ମପ୍ରେମ ଗଭୀରତା,

ସେ ପ୍ରେମର ଉଦାରତା

 

ହେଜ ଭାଇ ହେଜ କ୍ଷଣେ ।

ପ୍ରେମ ମହିମା ସୁମରି

 

ଆସ ଭାଇ ଆଶା କରି,

ମିଳାଇବେ ନିଜେ ହରି

 

ମହାପ୍ରେମର ମିଳନେ ।

•••

 

(୧୧)

 

(ଜୟଜୟନ୍ତି–ଆଠତାଳୀ)

ସର୍ବେ ମିଳି ଡାକ ବ୍ରହ୍ମେ ବ୍ରହ୍ମାଣ୍ଡେ-ଈଶ୍ୱରେ ହେ

ସେହି ବ୍ରହ୍ମନାମ ବାଜୁ ହୃଦ-ମଙ୍ଗରେ ହେ ।

ଅନନ୍ତ ସୁନୀଳ ବ୍ୟୋମେ ନକ୍ଷତ୍ର ଭାସ୍କର ସୋମେ

ବିରାଜିତ ମହେଶ୍ୱର ଜୀବନରୂପରେ ହେ ।

ବିସ୍ତୀର୍ଣ୍ଣ ଅବନୀତଳ ନଦୀ ସମୁଦ୍ର ଅଚଳ

ପ୍ରକାଶନ୍ତି ବିଭୁକୀର୍ତ୍ତି ସର୍ବ ସମୟରେ ହେ ।

ଅସଂଖ୍ୟ ବାରିଦରାଜି ଅନ୍ତରୀକ୍ଷରେ ବିରାଜି

ଘୋଷନ୍ତି ବିଭୁଙ୍କ ନାମ ଗମ୍ଭୀର ନାଦରେ ହେ ।

ଗାଅ ସର୍ବେ ସେହି ନାମ ମଙ୍ଗଳ ଶାନ୍ତିର ଧାମ

ନ ରହିବ ପାପ ଆଉ ହୃଦୟରେ ହେ ।

•••

 

(୧୨)

 

(ଭୈରବ–ଚୌତାଳ)

ବ୍ରହ୍ମ ଜୟ ଗାଇ ଗାଇ,

 

ଚାଲ ସର୍ବେ ଚାଲ ଭାଇ,

ପବିତ୍ର ଆନନ୍ଦେ ଧ୍ୟାୟି

 

ତାଙ୍କରି ଅମୃତ ଧାମ ।

ପ୍ରାଣଗୁରୁ ତାଙ୍କୁ ଜାଣି

 

ପ୍ରେମଭକ୍ତିଭାବ ଆଣି

ଶୁଣି ତାଙ୍କ ବେଦବାଣୀ

 

ହୁଅ ସର୍ବେ ପୂର୍ଣ୍ଣକାମ ।

ବିଶ୍ୱାସେ ଦର୍ଶନ କରି

 

ପରମ ସୁନ୍ଦର ହରି

ତାଙ୍କ ଶ୍ରୀଚରଣ ଧରି

 

କର ବିନୟେ ପ୍ରଣାମ ।

•••

 

(୧୩)

 

(ଭୈରବୀ–ଆଠତାଳୀ)

ବ୍ରହ୍ମ ସମ ପ୍ରାଣସଖା ନାହିଁ ଆଉ,

ତା ପାଦ-ଚିନ୍ତନେ ମୋର ଦିନ ଯାଉ

କୋଟି ଶଶୀ ପ୍ରଭାକର ଜିଣି ଅସୀମ ସୁନ୍ଦର

ବ୍ରହ୍ମ ପାଦପଦ୍ମ ଦିଶେ ଦାଉଦାଉ ।

ସେ ପଦ ମୋ ଧ୍ରୁବତାରା ବରଷଇ ସୁଧାଧାରା

ମୋ ବିଶ୍ୱାସ-ନେତ୍ରେ ତହିଁ ଲାଖିଥାଉ ।

ପ୍ରେମମୟ ହିତକାରୀ ପାପତାପ-ଭୟହାରୀ

ତୋ ପ୍ରେମ-ସିନ୍ଧୁରେ ପ୍ରାଣ ଅବଗାହୁ ।

•••

 

(୧୪)

 

(ଲଳିତ–ଆଡ଼ାଠେକା)

ରଜନୀ ପାହିଲା ଏବେ ଜାଗ ମନ ଆନନ୍ଦରେ,

ପବିତ୍ର ହୃଦୟେ ପୂଜ ପ୍ରେମସିନ୍ଧୁ ମହେଶ୍ୱରେ ।

ଆକାଶେ ନବୀନ ରବି କିବା ଜ୍ୟୋତିର୍ମୟ ଛବି

ଜଗତ ଅନ୍ଧାର ହରି ବନ୍ଦେ ବିଶ୍ୱଧୁରନ୍ଧରେ ।

କୁସୁମକାନନବତୀ ମନୋହରା ବସୁମତୀ

ସୁମଧୁର ତାନେ ସ୍ତୁତି କରେ ବିହଙ୍ଗ କଣ୍ଠରେ ।

ଏ ଶୁଭକାଳରେ ମନ ଚିନ୍ତ ନିତ୍ୟ ନିରଞ୍ଜନ

ତାଙ୍କରି ପବିତ୍ର ନାମ ଗାଅ ପବିତ୍ର ଅନ୍ତରେ ।

ସାର୍ଥକ ହେବ ଜୀବନ ମିଳିବ ଅମୃତ-ଧନ

ବିରାଜିବ ଶାନ୍ତି-ପଦ୍ମ ସ୍ୱଚ୍ଛ ହୃଦ-ସରୋବରେ ।

•••

 

(୧୫)

(ଝଁଝିଟ–କୀର୍ତ୍ତନ)

ବ୍ରହ୍ମନାମ ମହାମନ୍ତ୍ର କର କର ରେ ଗ୍ରହଣ,

ବ୍ରହ୍ମରୂପ ସମୁଦ୍ରରେ ପ୍ରେମେ ହୁଅ ନିମଗନ ।

ଭୂଲୋକେ ଦ୍ୟୁଲୋକେ ବ୍ରହ୍ମ ସାଗରେ ପର୍ବତେ ବ୍ରହ୍ମ

ଜଳେ ବ୍ରହ୍ମ ସ୍ଥଳେ ବ୍ରହ୍ମ ବିଶ୍ୱ ବ୍ରହ୍ମନିକେତନ ।

ଶୋଣିତେ ନିଶ୍ୱାସେ ବ୍ରହ୍ମ ସର୍ବେ ଇନ୍ଦ୍ରିୟରେ ବ୍ରହ୍ମ

ବୁଦ୍ଧି ହୃଦୟରେ ବ୍ରହ୍ମ ବ୍ରହ୍ମମୟ ଦେହମନ ।

ଗୃହେ କାର୍ଯ୍ୟକ୍ଷେତ୍ରେ ବ୍ରହ୍ମ ଇହ ପରକାଳେ ବ୍ରହ୍ମ

ଜନମେ ମରଣେ ବ୍ରହ୍ମ ଦେଶ କାଳ ବ୍ରହ୍ମେ ପୂର୍ଣ୍ଣ ।

ସର୍ବ-ଶକ୍ତିମୂଳାଧାର ବ୍ରହ୍ମ ଜ୍ଞାନପାରାବାର

ବ୍ରହ୍ମ ସର୍ବ ସାରାତ୍‌ସାର ବ୍ରହ୍ମ ବ୍ରହ୍ମାଣ୍ଡଜୀବନ ।

ବ୍ରହ୍ମ ଶାସ୍ତ୍ର ବ୍ରହ୍ମ ଗୁରୁ ବ୍ରହ୍ମ ବାଞ୍ଛାକଳ୍ପତରୁ

ତାରନ୍ତି ସର୍ବ ଭୟରୁ ବ୍ରହ୍ମ ପତିତପାବନ ।

ବ୍ରହ୍ମ ପିତା ବ୍ରହ୍ମ ମାତା ବ୍ରହ୍ମ ନରନାରୀତ୍ରାତା

ବ୍ରହ୍ମ ମଙ୍ଗଳବିଧାତା ବ୍ରହ୍ମ କରୁଣାନିଧାନ ।

ଜୀବର ପରମ ଗତି ବ୍ରହ୍ମ ସଖା ବ୍ରହ୍ମ ପତି

ବ୍ରହ୍ମ ଚରଣରେ ମତି ରହୁ ମୋର ଅନୁକ୍ଷଣ ।

•••

 

(୧୬)

(ପୂରବୀ–ଆଡ଼ାଠେକା)

ସମାଗତ ସାୟଂକାଳ ଚିନ୍ତ ଏବେ ପରାତ୍ପରେ

ଶାନ୍ତିନିକେତନ ତାଙ୍କ ଶ୍ରୀପଦ ବିଶ୍ୱ ମଧ୍ୟରେ ।

ବିଶ୍ରାମ ଲଭିବା ଆଶେ ଜୀବକୁଳ ଯେଝା ବାସେ

ନିଜ ନିଜ କାର୍ଯ୍ୟ ସାରି ଧାଉଁଛନ୍ତି ଆନନ୍ଦରେ ।

ରେ ସଂସାରକ୍ଳାନ୍ତ ମନ ବେଗେ କର ଅନ୍ୱେଷଣ

ପ୍ରଭୁଙ୍କ ଚରଣାଶ୍ରମ ଏବେ ବ୍ୟାକୁଳ ଅନ୍ତରେ ।

•••

 

(୧୭)

(ପରଜ–ମଡ଼ତାଳୀ)

ମୋର ହୃଦୟ ରେ, କାହିଁକି ଏଡେ ଚପଳ;

ଅନା ଅନା ବାରେ ସନ୍ଧ୍ୟାଗଗନକୁ

ତେଜି ମିଛ କୋଳାହଳ ।

ଗୋଟି ଗୋଟି ହୋଇ ଆସୁଅଛି ଉଇଁ

ଆକାଶରେ ତାରାଦଳ;

କି ସୁନ୍ଦର ପ୍ରଭା କି ନୀରବ ଶୋଭା

ଦେଖି ନେତ୍ର ସୁଶୀତଳ ।

ନିଭୃତ ହୃଦୟ- ଆକାଶରେ ଯେବେ

ସେହିପରି ସୁବିମଳ,

ଭାବ-ତାରାପୁଞ୍ଜ ଉଇଁବ ନୀରବେ

ଜୀବନ ହେବ ସଫଳ ।

ଆହା କି ସୁନ୍ଦର ଭକ୍ତ ହୃଦଭାବ

ବ୍ରହ୍ମାଲୋକେ ସମୁଜ୍ଜ୍ୱଳ;

ସେହିପରି କେବେ       ସଦ୍ଭାବ ପ୍ରଭାରେ

ପୂରିବ ମୋ ଅନ୍ତସ୍ଥଳ ।

•••

 

(୧୮)

(ବାହାର–ଝାମ୍ପତାଳ)

ଦ୍ୟୁଲୋକ ଭୂଲୋକ ଆଜି

 

ଗାଅ ସେ ମହିମା ।

ଭଜ ସର୍ବେ ସୁର ନର

 

ପବିତ୍ର ଆନନ୍ଦେ ।

ଦୀପ୍ତିଦାତା ଭାନୁଚନ୍ଦ୍ର

 

ତାରକାମଣ୍ଡଳୀ

ସର୍ବେ ମିଳି ବନ୍ଦ ଆଜି

 

ବିଶ୍ୱଧୁରନ୍ଧରେ ।

ଗାଅ ମେଘ ବ୍ରହ୍ମନାମ

 

ଆଜି ଘନଘୋଷେ

ସେ ନାମ ଚପଳା ଆଜି

 

ଘୋଷ ବ୍ୟୋମେ ବ୍ୟୋମେ ।

ଲହରୀସଙ୍କୁଳ ସିନ୍ଧୁ

 

କଲ୍ଲୋଳିନୀ ସଙ୍ଗେ

ଗାଅ ସେ ଗମ୍ଭୀର ନାମ

 

ଗମ୍ଭୀର କଲ୍ଲୋଳେ ।

ମଳୟ ପବନ ଗାଅ

 

ଅମୃତ ସଙ୍ଗୀତେ

ପତିତପାବନ ନାମ

 

ବହି ଧୀରେ ଧୀରେ ।

ବିହଙ୍ଗମକୁଳ ଘୋଷ

 

ସେ ନାମ ପୁଲକେ

ଝଙ୍କାରି କାନନ ଗିରି

 

ସୁମଧୁର ତାନେ ।

ଜୀବ-ଜନ୍ତୁ ଆଜି କେହି

 

ନ ରହ ନୀରବ

ବିଶ୍ୱବାସୀ ସର୍ବେ ଗାଅ

 

ହୃଦୟପୁଲକେ ।

 

 

 

ରେ ପ୍ରାଣ ବିହଙ୍ଗ ଆଜି

 

ସେହି ବ୍ରହ୍ମ ନାମ

ଗାଅ ଗାଅ ଝଙ୍କାରିଣ

 

ହୃଦୟ-କନ୍ଦରେ ।

•••

 

(୧୯)

 

ଗାଅରେ ପ୍ରଭୁଙ୍କ ନାମ ପୁଣ୍ୟ ସଙ୍ଗୀତ

ଯେ ନାମ ଘେନିଲେ ତୁଣ୍ଡେ ଖଣ୍ଡେ ଦୁରିତ ।

ନାମ-ସଂକୀର୍ତ୍ତନ ବାରେ କର ସର୍ବେ ରସନାରେ

ପିଅ ରେ ଭକତିଭରେ ନାମ-ଅମୃତ ।

ସେ ପବିତ୍ର ନାମ ହୃଦ ଧର ରେ ଧର ରେ ମୁଦେ

ପଳାଇବ ପାପ ତାପ ଶୋକ ତୁରିତ ।

ସେ ପାପହରଣ ନାମ ଧରିଲେ ପାପିର ପ୍ରାଣ

ପୁଣ୍ୟ ଶାନ୍ତି ପ୍ରେମାନନ୍ଦେ ହେବ ପୂରିତ ।

•••

 

(୨୦)

 

ପୁଚ୍ଛଇ ସର୍ବ ଭୁବନ,

 

ଅନ୍ତ କାହିଁ ହେ ତାଙ୍କର ।

ଊର୍ଦ୍ଧ୍ୱରେ ମହାଆକାଶ

 

ବିସ୍ତାରିତ ଚଉପାଶ

ନ ପାରେ କରି ପ୍ରକାଶ

 

ତାଙ୍କ ତତ୍ତ୍ୱ ଅଗୋଚର ।

ନିମ୍ନେ ମହାପାରାବାର

 

ବିଚିତ୍ର ଏହି ସଂସାର

ସେ ଗୁପତ ତତ୍ତ୍ୱ କଥା

 

ନ ଜାଣଇ ଚରାଚର ।

ବେଦ ବେଦାନ୍ତ ପୁରାଣ

 

ଦର୍ଶନାଦି ଶାସ୍ତ୍ରମାନ

କେହି ସେହି ତତ୍ତ୍ୱଜ୍ଞାନ

 

ନପାଇଲେ ପ୍ରଭୁଙ୍କର ।

ନିରସ୍ତ ସର୍ବ-ସଂସାର

 

ବୋଲେ ଅଗମ୍ୟ ଅପାର

ମହିମାର ପାରାବାର

 

ଭୂମା ଅନନ୍ତ ଈଶ୍ୱର ।

•••

 

(୨୧)

(ସିନ୍ଧୁ ଭୈରବୀ–ପୋସ୍ତ)

ଆସକ୍ତି ବାସନା ତେଜି କେବେ ଯିବି ଯୋଗଧାମେ ।

ଅନନ୍ତ ଇଚ୍ଛା-ଚରଣେ ବିସର୍ଜିବି ସର୍ବକାମେ ।

ସେ ଇଚ୍ଛା ସଙ୍ଗତେ ଯୁକ୍ତ ତେଣୁ ମୁଁ ହୋଇବି ମୁକ୍ତ

ଭୁଞ୍ଜିବି ଆନନ୍ଦ ଶାନ୍ତି ଗାଇ ସେ ପବିତ୍ର ନାମେ ।

ରିପୁଦଳର ଦାସତ୍ୱ      ପରିହରି ଶୁଦ୍ଧସତ୍ତ୍ୱ

ହିରଣ୍ମୟ ହୃଦାସନେ ପୂଜିବି ପ୍ରେମନିଧାନେ ।

ନିରନ୍ତର ଅନୁଗତ      ପାଳିବି ସନ୍ତାନବ୍ରତ

ସଶରୀରେ ସ୍ୱର୍ଗବାସ ଲଭିବି ହେ ପରିଣାମେ ।

•••

 

(୨୨)

(ଝିଁଝିଟ–କୀର୍ତ୍ତନ)

ସୁଖେ ପ୍ରାଣସଖା ସଙ୍ଗେ

 

ପ୍ରାଣ ରହ ରେ ମୋହର,

କି ମଧୁର ପୁଣ୍ୟାନନ୍ଦ

 

ପ୍ରେମେ ଭୁଞ୍ଜ ନିରନ୍ତର।

ଡାକ ସେହି ପ୍ରାଣେଶ୍ୱରେ

 

ଥାଇ ତାଙ୍କ ସଙ୍ଗତରେ

ଅର୍ପି ପ୍ରାଣ ସେ ପୟରେ

 

ଦୁଃଖ ଭୟ ପରିହର ।

ସଂକଟମୟ ସଂସାରେ

 

ମୋହ ଘନ ଅନ୍ଧକାରେ

ନିର୍ବିଘ୍ନେ ରଖିବେ ପ୍ରଭୁ

 

ସର୍ବ କଷ୍ଟ ବିଘ୍ନହର ।

ସେ ପ୍ରେମମୁଖର ହାସ

 

ସର୍ବ ଭୟ କରି ନାଶ

ଉଜ୍ଜ୍ୱଳିବ ଚଉପାଶ

 

କାହିଁ ତାର ପଟାନ୍ତର ।

•••

 

(୨୩)

 

ବହି ଏତେ ପାପଭାର କେମନ୍ତେ ରେ ପ୍ରାଣ ମୋର

ରହିଛୁ ନିଶ୍ଚିନ୍ତ ଏ ସଂସାରେ ?

ପାପେ ତାପେ ନିରନ୍ତର ଦେହ ମନ ଜରଜର

ଦେଖ ରେ ଅନାଇ ଦେଖ ବାରେ !

ବିଷମ ଅବସ୍ଥା ତୋର ଜଡ଼ତା ନିରାଶା ଘୋର

ଘୋଟିଛି ହୃଦୟ ଅନ୍ଧକାରେ ।

ଆସକ୍ତିର ପ୍ରେମେ ମାତି କାଟୁଛୁ ତୁ ଦିବାରାତି

ନ ଚେତିଲୁ ବିଷମ ବିକାରେ ।

ତାରିବାକୁ ତୋତେ ହରି ଡାକୁଛନ୍ତି ଦୟା କରି

ଘେନରେ ଶରଣ ତାଙ୍କଠାରେ ।

ପଡ଼ିରହି ପାଦତଳେ ତାଙ୍କରି କରୁଣାବଳେ

ଅନାୟାସେ ଯିବୁ ଭବପାରେ ।

ନାହିଁ ରେ ଉପାୟ ଆନ ବିନା ସେ କୃପାନିଧାନ

ସମର୍ପ ସେ ପଦେ ଆପଣାରେ ।

ଧନ୍ୟ ହେବ ଦେହ ମନ ଧନ୍ୟ ହେବ ଏ ଜୀବନ

ତାଙ୍କ ପ୍ରେମ କରୁଣା ଆସାରେ ।

•••

 

(୨୪)

(ରାଗ–ବଙ୍ଗଳାଶ୍ରୀ)

ଆସ ଦୁଃଖୀ ତାପୀ ଉପାସନା ତୀର୍ଥେ

ଲଭିବ ଶାନ୍ତି ଅପାର,

ପରମ ପବିତ୍ର ଉପାସନା-ଭୂମି

ସର୍ବତୀର୍ଥ ମଧ୍ୟେ ସାର ।

ମହାତୀର୍ଥଭୂମି ଅତୁଲ୍ୟ ଜଗତେ

ଭକତ ହୃଦୟାଧାର,

ଅବତୀର୍ଣ୍ଣ ଯହିଁ ପାପତାପହାରୀ

ପୂର୍ଣ୍ଣବ୍ରହ୍ମ ନିର୍ବିକାର ।

ସେହି ସ୍ୱର୍ଗଭୂମି ସେହି ମୋକ୍ଷଧାମ

ଅମୃତ କୈବଲ୍ୟାଧାର,

ଯହିଁ ପୂଣ୍ୟଧାରା ଝରି ନିରନ୍ତର

ହରଇ କଳୁଷଭାର ।

ପ୍ରତି ପ୍ରାଣେ ପ୍ରାଣେ ଅଟେ ପ୍ରତିଷ୍ଠିତ

ସେହି ତୀର୍ଥ ମହୋଦାର,

ଯାଅ ଯାଅ ତହିଁ ନ କର ବିଳମ୍ୱ

ଶୁଣ ଶୁଭ ସମାଚାର ।

•••

 

(୨୫)

(କାମୋଦୀ–ଏକତାଳୀ)

ସଂସାରଜନେ କର ଅବଧାନ

ସନ୍ତତେ ଡାକୁଛନ୍ତି ଭଗବାନ ।

ସନ୍ତାନ ସର୍ବେ ମୋର ତେଜିଣ ମୋହ ଘୋର

ଲଭ ରେ ସତ୍ୟବେଦ ଆତ୍ମଜ୍ଞାନ ।

ଆସିଲ କାହୁଁ ଭବେ ଭାଳିଲ ନାହିଁ ଲବେ,

ଲଭିବ କାହୁଁ ଏହି ଦେହ ପ୍ରାଣ ।

ଗମିବ କାହା ପାଶେ ଅନିତ୍ୟ ଦେହ ନାଶେ,

ଏ ସୃଷ୍ଟିଲୀଳା କହ କାହା ଭିଆଣ ?

ମାତିଛ ଏ ସଂସାରେ ନିରତେ ସୁଖାଶାରେ,

ଲୋଡୁଛ ନିତ୍ୟ ଧନ ଜନ ମାନ ।

ତଥାପି କାହିଁ ରେ ବିଚାର ଚିତ୍ତେ ଧୀରେ

ନୋହିଲ ତୃପ୍ତ କ୍ଷଣେ ମନପ୍ରାଣ ?

କାହାର ଅଭାବରେ ହେଜ ହେ ହେଜ ନରେ

ବିଷୟେ ବିଷ ସମ ହୁଅ ଜ୍ଞାନ ।

ପ୍ରାଣର ଇଷ୍ଟ ଯାହା କେ ମଣି ଦେବ ତାହା,

ଚିହ୍ନ ରେ ଚିତ୍ତେ ନିତ୍ୟ କରି ଧ୍ୟାନ ।

 

ପରମ ପିତାମାତା ଜୀବର ପରିତ୍ରାତା

ମୁଁ ଜୀବ ପାଶେ ନିତ୍ୟ ବର୍ତ୍ତମାନ ।

ଅଛି ମୁଁ ଦେଖ ଧ୍ୟାୟି ବ୍ରହ୍ମାଣ୍ଡ ପ୍ରାଣସାଇଁ,

ମୋ ବିନୁ ଜୀବାତ୍ମାର ନାହିଁ ଆନ ।

ପାସୋରି ମୋର ସ୍ନେହ କେମନ୍ତେ ଧରି ଦେହ

ରହିଛି ବହି ପାପ କ୍ଳେଶମାନ ।

ଜାଗ ରେ ଏବେ ବେଗେ ଆସ ରେ ପ୍ରାଣବେଗେ

ସନ୍ତାନେ ଧାଇଁ ମୋର ସନ୍ନିଧାନ ।

•••

 

(୨୬)

(ସାହାନା–ଯତ୍‌)

କାହିଁକି ଭାବନା ଭୟ

 

କରିବି ରେ ଆଉ,

ରେ ସଂସାର କି ସଂକଟ

 

କି ଭୟ ଦେଖାଉ ।

ଅଭୟ ଅମୃତ ପଦ,

 

ପ୍ରାଣର ଇଷ୍ଟ ସମ୍ପଦ

ଲଭିଛି ପରମାଶ୍ରୟ

 

ଯା ହେବାର ହେଉ ।

ଅସତ୍ୟ ଅନ୍ଧାର ନାଶି,

 

ସତ୍ୟଜ୍ୟୋତି ପରକାଶି

କହିଲେଣି ମୋ ପ୍ରାଣେଶ

 

କଳୁଷ ପଳାଉ ।

ମୋ ପ୍ରଭୁ ପଦପରଶେ,

 

ମରଣ ମଲାଣି ହର୍ଷେ

ଲୁଚିଲେଣି ଲାଜ ଭୟ

 

ତୁ କି ଜାଣିନାହୁଁ ।

ମୋତେ ପ୍ରଭୁ ଦୟାମୟ,

 

ଅନନ୍ତ-ଶକ୍ତି-ଆଳୟ

ଧରିଛନ୍ତି ବସ୍ତାରିଣ

 

ଆହା ପ୍ରେମ-ବାହୁ ।

ତାଙ୍କ ସତ୍ୟ ହୃଦେ ଧରି,

 

ତାଙ୍କ ପ୍ରେମ ଅନୁସରି

ବିସର୍ଜିବ ଏ ପରାଣ

 

ଯା ଥିବାର ଥାଉ ।

•••

 

(୨୭)

(ଭୈରବ–ଠୁମରି)

ଜୟ କରୁଣାମୟ ମଙ୍ଗଳ ଆଳୟ

ଆନନ୍ଦ କଲ୍ୟାଣଦାତା ହେ

ପରମ ଶୋଭନ ଚିତ୍ତ ପ୍ରଲୋଭନ

ମଙ୍ଗଳ ପ୍ରେମବିଧାତା ହେ ।

ନିଖିଳ-ଈଶ୍ୱର ତୁମ୍ଭେ ପରାତ୍ପର

ଦିନସଖା ବିଶ୍ୱପିତା ହେ;

ପତିତପାବନ ଅଧମତାରଣ

ଏକମାତ୍ର ପିତା ମାତା ହେ ।

ବିପଦବାରଣ ସମ୍ପଦକାରଣ

ଭୟଭଞ୍ଜନ ଦୀନତ୍ରାତା ହେ;

ଭବ-ସିନ୍ଧୁ-ତରୀ ଚରଣ ତୁମ୍ଭରି

କିବା ସୁଧାମୟ ବାର୍ତ୍ତା ହେ ।

•••

 

(୨୮)

(ମୂଲତାନ–ଏକତାଲା)

ଜୟ ଅମୃତମୟ ଜୟ ବିଶ୍ୱ-ଆଶ୍ରୟ

ଜୟ ଜୟ ଦୀନହୀନତାରଣ,

ଜୟ ପରମେଶ୍ୱର ଜୟ ଶିବ ସୁନ୍ଦର

ଜୟ ଜୟ ମଙ୍ଗଳର କାରଣ ।

ତୁମ୍ଭର ପୟର ବନ୍ଦେ ଚରାଚର

କୋଟି ସୂର୍ଯ୍ୟ ଚନ୍ଦ୍ର ଭୁବନ,

ମହାପୁଲକରେ ନମନ୍ତି ପୟରେ

କୋଟି କୋଟି ଭକ୍ତଜୀବନ ।

ଜାଗ୍ରତ ବିଧାତା ବିଶ୍ୱ ପିତାମାତା

ପ୍ରାଣସ୍ୱାମୀ ଭବକାରଣ,

ମାଗଇ ଅଭୟ ପ୍ରଭୁ ଦୟାମୟ

କ୍ଲେଶକଳୁଷନାଶନ ।

•••

 

(୨୯)

(ହଂସ ସାରଙ୍ଗ–ଚୌତାଳ)

ବନ୍ଧଇ ଶ୍ରୀପଦ

 

ବିଶ୍ୱଭୁବନ

ଜୟ ଦୟାମୟ

 

ବିଶ୍ୱଶରଣ

ରବି ଚନ୍ଦ୍ର ତାରା

 

ପୂର୍ଣ୍ଣ ଗଗନ

ମଗନ ମହିମା ନୀରେ ।

 

ମହିମାର କେତୁ

 

ହିମାଦ୍ରିରାଜ

ବିଜୟଦୁନ୍ଦୁଭି

 

ମେଘସମାଜ

ଯଶ ତୁମ୍ୱୁର ସେ

 

ଜଳଧିନାଦ

ତୁମ୍ଭରି ଏ ଧରଣୀରେ ।

 

ପତ୍ର ପୁଷ୍ପ ଫଳେ

 

ତରୁନିକରେ

ପୂଜନ୍ତି ସେ ପଦ

 

ଆନନ୍ଦଭରେ

କୋଟି କୋଟି ଜୀବ

 

ନମି ପୟରେ

ସେବନ୍ତି ପ୍ରେମ-ସମୀରେ ।

 

କୋଟି କୋଟି ଭକ୍ତ

 

ହୃଦୟଧାମେ

ଉଛୁଳଇ ପ୍ରେମ

 

ତୁମ୍ଭରି ନାମେ

ବିଶ୍ୱ ତବ ନାମ

 

ପବିତ୍ର ଗାନେ

ରତ ଦିବା-ରଜନୀରେ ।

•••

 

(୩୦)

(ଆଶା–ଠୁମୁରି)

ପବିତ୍ର ଆନନ୍ଦେ ଆଜି ପାପୀ ବନ୍ଦେ

ହେ ପ୍ରଭୁ ତବ ପଦତଳେ,

ପାପେ ତାପେ ଶୋକେ ତବ ପ୍ରେମାଲୋକେ

ନିରେଖି ହୃଦୟକମଳେ ।

ଚୌଦିଗେ ସଂସାରେ ଦେଖି ଅନ୍ଧକାରେ

ତ୍ରାସେ ମୁଁ କାନ୍ଦିଲି ବିକଳେ;

ତେଣୁ କି ତୁମ୍ଭର ଜ୍ୟୋତି ମଙ୍ଗଳର

ଆଜି ହେ ଏ ପ୍ରାଣ ଉଜଳେ ।

ଦୁଃଖ ତାପେ ପାପୀ ଏତେକାଳ ଯାପି

ଆଶ୍ରୟ ଚରଣକମଳେ,

ଲଭିଲା କି ନାଥ, କାତର ଅନାଥ

ପୁଚ୍ଛଇ ଭାସି ଅଶ୍ରୁଜଳେ ।

ଶ୍ରୀମୁଖର ଭାଷା ଶୁଣି କେତେ ଆଶା

ଉପୁଜେ ଦୁଃଖୀ ମର୍ମସ୍ଥଳେ,

ମୃତ ଜନେ ପ୍ରାଣ କରିବେ ହେ ଦାନ

ଅଦ୍ଭୁତ କରୁଣାକୌଶଳେ ।

•••

 

(୩୧)

 

ପାପଗରଳଖଣ୍ଡନ ପ୍ରଭୁ,

 

ପାପଗରଳଖଣ୍ଡନ ହେ ।

ତାପିତ ହୃଦକଚନ୍ଦନ ପ୍ରଭୁ,

 

ତାପିତ ହୃଦଚନ୍ଦନ ହେ ।

ଭାବନା-ଭୟବାରଣ ପ୍ରଭୁ,

 

ଭାବନା-ଭୟବାରଣ ହେ ।

ଦୁଃଖୀ-ଅଧମତାରଣ ପ୍ରଭୁ,

 

ଦୁଃଖୀ-ଅଧମତାରଣ ହେ।

ସର୍ବ ବିପଦଭଞ୍ଜନ ପ୍ରଭୁ,

 

ସର୍ବବିପଦଭଞ୍ଜନ ହେ ।

ଅନ୍ଧନୟନଅଞ୍ଜନ ପ୍ରଭୁ,

 

ଅନ୍ଧନୟନଅଞ୍ଜନ ହେ ।

ମୋହ-ତିମିରନାଶନ ପ୍ରଭୁ,

 

ମୋହ-ତିମିରନାଶନ ହେ ।

ସତ୍ୟଜ୍ୟୋତିପ୍ରକାଶନ ପ୍ରଭୁ,

 

ସତ୍ୟଜ୍ୟୋତିପ୍ରକାଶନ ହେ ।

ପ୍ରେମମୟ ନିରଞ୍ଜନ ପ୍ରଭୁ,

 

ପ୍ରେମମୟ ନିରଞ୍ଜନ ହେ ।

ଭକ୍ତହୃଦୟରଞ୍ଜନ ପ୍ରଭୁ,

 

ଭକ୍ତହୃଦୟରଞ୍ଜନ ହେ ।

ମାଗଇ ପଦ ବ୍ୟାକୁଳେ ପ୍ରଭୁ,

 

ଏ ଅଧମ ଅକିଞ୍ଚନ ହେ ।

ସେ ପଦ ସର୍ବସମ୍ପଦ ପ୍ରଭୁ,

 

ଦୁଃଖୀର ମଣିକାଞ୍ଚନ ହେ ।

•••

 

(୩୨)

(ବିଭାସ–ଝାମ୍ପତାଳ)

ଧନ୍ୟ ଧନ୍ୟ ମହାପ୍ରଭୁ, ଧନ୍ୟ ମହିମା ତୁମ୍ଭର ।

ସେ ମହିମା ପାଦତଳେ ପ୍ରଣତ ଏ ଚରାଚର ।

କେତେ ଭାନୁ ଚନ୍ଦ୍ର ତାରା ଢାଳି ଶୁଭ୍ର ଜ୍ୟୋତିଧାରା

କରନ୍ତି ଆରତି ପଦେ ବେଢି ତବ ଶ୍ରୀପୟର ।

ମହିମା-ସଙ୍ଗୀତ ତବ ନିରନ୍ତର ନବନବ

ଗାଉଛି କୋଟି ଭୁବନ ପରବ୍ରହ୍ମ ପରାତ୍ପର ।

ଋଷି ଭକ୍ତ ଦେବଦଳ ନେତ୍ରେ ପ୍ରେମ-ଅଶ୍ରୁଜଳ

ଚାହିଁରହିଛନ୍ତି ପଦେ କିବା ଛବି ମନୋହର ।

ସେ ମହାମହିମା ଧ୍ୟାନେ ଗାଏ ବିଶ୍ୱ ଏକତାନେ

ଜୟ ଜୟ ଜଗଦୀଶ ଏ ଘୋଷଣା ନିରନ୍ତର ।

•••

 

(୩୩)

(ବାହାର–ଏକତାଲା)

ଦେଖିଲେ ତୁମ୍ଭରି ଲୀଳା ସଖା ହେ, ଏହି ଜୀବନେ।

ଦ୍ରବଇ ପାଷାଣ ପ୍ରାଣ ଅଶ୍ରୁ ଗଳଇ ଲୋଚନେ।।

ରୋଗ ଶୋକ ତାପେ ପ୍ରଲୋଭନ ପାପେ

ଏ ପ୍ରାଣ ରହି ଗୋପନେ

ଦେଖୁଛ ଦଗ୍‌ଧ ହୃଦୟ ବେଦନା

ଶୁଣୁଛ ଦୁଃଖୀକ୍ରନ୍ଦନେ;

ଶୀତଳ କରୁଛ ପ୍ରାଣ ତାର ଅମୃତ ଶାନ୍ତି ସିଞ୍ଚନେ ।

ନ୍ୟାୟ-ଦଣ୍ଡ ଧରି ବସିଅଛ ହରି

ତୁମ୍ଭରି ଧର୍ମ-ଆସନେ,

କରୁଛ ପ୍ରହାର ଲଭୁଛି ଉଦ୍ଧାର

ଅପରାଧି ତବ ଶାସନେ;

ଧନ୍ୟ ମୋର ମନପ୍ରାଣ ତୁମ୍ଭରି ଲୀଳା ଦର୍ଶନେ ।

•••

 

(୩୪)

(ଝିଁଝିଟ–ଝାମ୍ପତାଳ)

ଜୟ ମା’ ଆନନ୍ଦମୟୀ ବିଶ୍ୱତାରିଣୀ

ଦୁଃଖ-ଭୟ-ନାଶିନୀ ସୁଖ-ଶାନ୍ତି-ଦାୟିନୀ ।

କୋଟିବିଶ୍ୱ-ପ୍ରସବିନୀ, ପାପାସୁରବିମର୍ଦ୍ଦିନୀ

ଭକ୍ତପ୍ରାଣନିବାସିନୀ ଭକ୍ତ ଜନନୀ ।

ମାଗୋ ତୋ ନୟନ ଦୃଷ୍ଟି କରଇ ଅମୃତ ବୃଷ୍ଟି

ଭାସଇ ଆନନ୍ଦେ ସୃଷ୍ଟି ଦିବା-ରଜନୀ ।

ସେ ପ୍ରେମବକ୍ଷର ସୁଧା ହରି ଭୁବନକ୍ଷୁଧା

ସେ ପୁଣ୍ୟ ଚରର ଏକା ପରଶମଣି ।

•••

 

(୩୫)

(ବଙ୍ଗଳାଶ୍ରୀ)

ତୁମ୍ଭ କୃପା ପୂର୍ଣ୍ଣ ଏହି ବସୁନ୍ଧରା

ବିଶ୍ୱ ପୂର୍ଣ୍ଣ ତୁମ୍ଭ ପ୍ରେମେ;

ପ୍ରତିକ୍ଷଣ ହରି କରୁଣାରେ ଭରି

ଭୁବନ ପାଳୁଛ ପ୍ରେମେ ।

ଏ ନବ ପ୍ରଭାତେ ଯୋଡ଼ି ବେନିହାତେ

ଡାକଇ ଆକୁଳ ପ୍ରାଣେ;

ଦିଅ ଦରଶନ ନାଥ ନିରଞ୍ଜନ

ରକ ଦୀନେ ସାବଧାନେ ।

ମହିମାର ଜୟ ଆହେ ପ୍ରେମମୟ

ଦେଖାଅ ବାରେ ଏ ପ୍ରାଣେ;

ବିନାଶି ଆସକ୍ତି ଦିଅ ପ୍ରେମ ଭକ୍ତି

ଘେନିଯାଅ ଶାନ୍ତିଧାମେ

•••

 

(୩୬)

(ବିଭାସ–ଝାମ୍ପତାଳ)

ଜୟ ଜୟ ବିଶ୍ୱପତି

 

ଜୟ ହେ ପ୍ରାଣ-ଆଧାର

ଏ ଦେହ ହୃଦୟ ବୁଦ୍ଧି

 

କର କର ଅଧିକାର ।

ସର୍ବ ବ୍ୟବଧାନ ନାଶି,

 

ପ୍ରେମସୁଖ ପରକାଶି

ହୁଅ ଚିର ପ୍ରାଣସ୍ୱାମୀ

 

ଜିଣି କ୍ଷୁଦ୍ର ଅହଙ୍କାର ।

ବିନୀତ ବିଶ୍ୱାସୀ ହୋଇ

 

ଶ୍ରୀଚରଣତଳେ ଥୋଇ

ତୁମ୍ଭରି ପବିତ୍ର ନାମେ

 

ଦେବି ପ୍ରାଣ ଉପହାର ।

ପୂର୍ଣ୍ଣ କର ଏ ପ୍ରାର୍ଥନା

 

ନିବାର ପାପବେଦନା

ଜାଣୁଛ ହୃଦୟଦୁଃଖ

 

ଉଦ୍ଧାର ନାଥ ଉଦ୍ଧାର ।

•••

 

(୩୭)

 

ବିଶ୍ୱବାନ୍ଧବ ପ୍ରଭୁ ମୋହରି ହେ,

ରଖ ଅନାଥଜନେ କୃପା ବିତରି ହେ ।

ଦେଖୁଅଛ ଏ ଜୀବନ କଳଙ୍କମୟ,

କୁବାସନା ପାପ-ପାଶେ ପଡ଼ି ଅଥୟ,

ରହିଅଛି ଅନାଇ, ଆହେ ବ୍ରହ୍ମାଣ୍ଡସାଇଁ

ତ୍ରାସେ କମ୍ପିତ ପ୍ରାଣ ବୁଦ୍ଧି ତ ଦିଶୁନାହିଁ

କାହିଁ ଲୁଚିବି ଯାଇ କିପରି ହେ ।

କ୍ଷମା କର ଦୀନଜନେ କ୍ଷମାସାଗର

କେ ବୁଝିବ ତୁମ୍ଭ ବିନା ଦୁଃଖ ମୋହର,

କେହି ତ ନାହିଁ ଭବେ କୃପା କରିବ ଲବେ

ତେଣୁ ଡାକଇ ଦୁଃଖୀ ଘୋର ଆରତ ରବେ,

ରଖ ହେ ପ୍ରଭୁ ମୁହିଁ ତୁମ୍ଭରି ହେ ।

•••

 

(୩୮)

 

ଡାକ ଶୁଣ ହେ ମୋହର;

ତୁମ୍ଭ ବିନା ନାହିଁ କେହି ଦୁଃଖୀଜନର ।

ନିଜ ବଳେ ତରିବାକୁ ସଂସାର-ସାଗର

ଭାଳିଥିଲି, ଭାଜିଗଲା ସେ ଦମ୍ଭନିକର ।

ସେ ସିନ୍ଧୁ-ଲହରୀ ମଧ୍ୟେ ଜୀବନ ମୋହର

ବିକଳେ ଭାସୁଛି ଦେଖ ଆହେ ପ୍ରାଣେଶ୍ୱର ।

ହଜିଯାଇଛି ବୁଦ୍ଧି ନିରାଶ-କାତର,

ମାଗଇ ଶରଣ ଧରି ଅଭୟ ପୟର ।

•••

 

(୩୯)

(ବଙ୍ଗଳାଶ୍ରୀ)

ଗଭୀର ବିଷାଦେ ଘୋର ଅବସାଦେ

ଆସିଛି ହେ ତବ ପାଶେ,

ଦୟା କର ହରି ଦୁଃଖ ତାପ ହରି

ଉଦ୍ଧାର କର ଏ ଦାସେ ।

ଭବ-ପ୍ରବାସର ମୋହ ପ୍ରଲୋଭନେ

ଅସାର ସୁଖ-ବିଳାସେ,

ଗଲା ଦିନ ଚାଲି, ଏବେ ଏ ଜୀବନ

ବିଷାଦ-ସମୁଦ୍ରେ ଭାସେ ।

ସୁଖ-ମରିଚୀକା ପଛେ ଗୋଡ଼ାଇଲି

ପଡ଼ିଲି ନିରାଶାଗ୍ରାସେ,

ଦିଶୁନାହିଁ ବୁଦ୍ଧି କି କରିବି ହରି

ଏ ଘୋର ସଙ୍କଟ-ତ୍ରାସେ ।

ଦରିଦ୍ରସଙ୍ଖାଳି ତୁମ୍ଭ ପାଦପଦ୍ମେ

ଦିଅ ସ୍ଥାନ ଏ ହତାଶେ,

ହର ପାପାସକ୍ତି ପୂର୍ଣ୍ଣ କର ପ୍ରାଣ

ଅମୃତ ଆଶା ଆଶ୍ୱାସେ ।

•••

 

(୪୦)

(ଲଳିତ–ଆଡ଼ାଠେକା)

ତାର ହେ ତାର ହେ ମୋତେ

 

ଅଧମତାରଣ ହରି,

ସଂସାର ଆବର୍ତ୍ତ ଜଳେ

 

ପଡ଼ିଛି ଜୀବନତରୀ ।

ହଜିଗଲାଣି ମୋ ଜ୍ଞାନ

 

କର ଉପାୟ ବିଧାନ,

ଉଦ୍ଧାର ଏ ସଙ୍କଟରୁ

 

ଅଧମେ କରୁଣା କରି ।

•••

 

(୪୧)

(ଲଳିତ–ଆଡ଼ାଠେକା)

ବ୍ରହ୍ମାଣ୍ଡଜନନୀ ମା’ ଗୋ

 

କର ପ୍ରାଣ ଅଧିକାର,

ଦେଖାଅ କରୁଣାଲୀଳା

 

ପ୍ରାଣେ ମୋର ଅନିବାର ।

ବସଇ ଚରଣତଳେ

 

ଘୋଡ଼ାଇ ସ୍ନେହ-ଅଞ୍ଚଳେ

ଧୋଇ ନେତ୍ର ଭକ୍ତି-ଜଳେ

 

ଦେଖାଅ ତୁମ୍ଭ ସଂସାର ।

ନିଅ ମୋତେ ପାଶେ ଟାଣି

 

ଶୁଣାଅ ଶ୍ରୀମୁଖ ବାଣୀ

କର ଚିତ୍ତେ ରାଜଧାନୀ

 

ବିଶ୍ୱରାଣୀ ମହିମାର ।

ନିଅ ଏ କଳ୍ପନା ସ୍ମୃତି

 

ବୁଦ୍ଧି ହୃଦୟପ୍ରବୃତ୍ତି

ଶୁଦ୍ଧ କର ଏ ପ୍ରକୃତି

 

ନାଶ ମା’ ସର୍ବ ବିକାର ।

•••

 

(୪୨)

(ଆଲେୟା ଜୟଜୟନ୍ତୀ–ଝାମ୍ପତାଳ)

ପାଷାଣ୍ଡ ନାସ୍ତିକ ମୁହିଁ

 

ଅଧମ କପଟାଚାରୀ

ମୁଖେ ପ୍ରଭୁ ପ୍ରଭୁ ଶବ୍ଦ,

 

ଅନ୍ତର ଯେ ଅହଙ୍କାରୀ ।

କଳ୍ପନା କାମନା ମୋର

 

ପାପ-ବିଷେ ଜରଜର

ଆସକ୍ତିଜଡ଼ିତ ପ୍ରାଣ

 

ଦେଖ ପ୍ରଭୁ ପାପହାରୀ ।

ଏ କି ଘୋର ବିଡ଼ମ୍ୱନା

 

କରି ଆତ୍ମ-ପ୍ରତାରଣା

ବୁଲୁଛି ମୋହାନ୍ଧ ହୋଇ

 

ମନ୍ଦମତି ଦୁରାଚାରୀ ।

କି କରିବି କାହିଁ ଯିବି

 

କେମନ୍ତେ ହେ ନିସ୍ତରିବି

ରଖ ହେ ନିରକ୍ଷର ଜନେ

 

ଘୋର ସଙ୍କଟୁ ଉଦ୍ଧାରି ।

•••

 

(୪୩)

(ବଙ୍ଗଳାଶ୍ରୀ)

ହୃଦୟକୁଟୀରେ ଆସ ଦୀନବନ୍ଧୁ

ଆସ ଏ ହୃଦ-କୁଟୀରେ;

ପାପର ସନ୍ତାପେ ଅତି ଜର୍ଜରିତ

ଡାକଇ ଦୀନ କାତରେ ।

ବହୁ ଆଶା କରି ଆସିଅଛି ଆଜ

ତୀର୍ଥରାଜ ଶ୍ରୀପୟରେ;

ଜାଣିଅଛି ପ୍ରଭୁ ସର୍ବସାରାରତ୍‌ସାର

ସେ ପଦ ବିଶ୍ୱ ମଧ୍ୟରେ ।

ଦୁଃଖୀ-ମନୋରଥ କର ହେ ପୂରଣ

ଉଇଁ ହୃଦୟ-ଅମ୍ୱରେ;

ଦରଶନ ଦିଅ ଜୀବନ ସାର୍ଥକ

ହେଉ ତୁମ୍ଭ ପ୍ରସାଦରେ ।

•••

 

(୪୪)

(ଆଶା–ଠୁମ୍‌ରି)

ଭୟଙ୍କର ଭବସିନ୍ଧୁ ହେ ଭୟହାରୀ !

ସାହା ନିରାଶର ଆନ କେ ଦୋସର

ହୋଇବ ହେ ତ୍ରାଣକାରୀ ।

ତାପିତ ଜୀବନ- ଶାନ୍ତି-ସୁଧାକର

ହେ ମୋହ ଦୁର୍ଦ୍ଦିନହାରୀ;

ତୁମ୍ଭେ କୃପାମୟ ହେଳେ ଉଦ୍ଧାରୁଛ

କୋଟି କୋଟି ନରନାରୀ ।

ଘୋର ଭୟାନକ ସଙ୍କଟରେ ପଡ଼ି

ଡାକଇ ଦୀନ ଭିଖାରି;

ଆସ ମହାପ୍ରଭୁ ତାର ହେ ତାର ହେ

ସର୍ବ ସଙ୍କଟ ନିବାରି ।

•••

 

(୪୫)

(ଆଶା–ଠୁମ୍‌ରି)

ଅଧମତାରଣ ଭୟବିନାଶନ

ଆସ ହେ ହୃୟଧାମେ;

ମହାଭୟଙ୍କର ପାପ-ନିଶାଚର

ଗର୍ଜଇ ଘୋର ସଂଗ୍ରାମେ ।

କାତର ଦୁର୍ବଳ ଭୀତ ନିଃସମ୍ବଳ

ଡାକଇ ବ୍ୟାକୁଳ ପ୍ରାଣେ;

ପାପାସୁର ଭୟ ନାଶ ଦୟାମୟ !

ତୋର ମୋତ ବ୍ରହ୍ମନାମେ

ଦେଇ ପୁଣ୍ୟବଳ ହୃଦୟ ନିର୍ମଳ

କର ହେ କୃପାବିଧାନେ,

ଆନନ୍ଦ ଅମୃତ ବିତର ସନ୍ତତ

ପୂର୍ଣ୍ଣ କର ଚିତ୍ତ ପ୍ରେମେ ।

•••

 

(୪୬)

(ଝିଁଝିଟ–ଯତ୍‌)

ଦେଖାଇଲ କି ହେ ହରି,

 

ତୁମ୍ଭ ପ୍ରେମ ପୁଣ୍ୟଜ୍ୟୋତି

ସାର୍ଥକ ହେଲା କି ପ୍ରାଣ,

 

ଦେଖି ଅରୂପ ମୂରତି ।

ସ୍ୱପ୍ରକାଶ ଦୟାମୟ,

 

ଫିଟାଇ ଏହି ହୃଦୟ

ଦେଖାଇଲ ତହିଁ କେତେ

 

କୁଟିଳ ପାପବସତି ।

ହେ ପ୍ରଭୁ ସତ୍ୟନିଧାନ,

 

ଭାଙ୍ଗି ମୋହର ଗୁମାନ

ଦେଖାଇଲ କି କୁତ୍ସିତ,

 

କଳଙ୍କିତ ଏହି ମତି ।

ଅନୁତପ୍ତ କରି ପ୍ରାଣ,

 

ଡାକୁଅଛି ଭଗବାନ

ସକଳ ସନ୍ତାପହର,

 

ତବ ଶ୍ରୀଚରଣ ପ୍ରତି ।

କର କର ଆଶୀର୍ବାଦ,

 

ବିନାଶ ମୋହ ପ୍ରମାଦ

କଳଙ୍କଭଞ୍ଜନ ତୁମ୍ଭେ,

 

ଅଗତତି ଜନର ଗତି ।

•••

 

(୪୭)

 

ଘୋଟି ଆସୁଅଛି ହେ, ଘୋର ଅନ୍ଧକାର ରାତି

କାହିଁ ଯିବି ପ୍ରଭୁ ଏ ମୋହ ଅନ୍ଧାରେ

ଆସ ହେ ଜ୍ୟୋତିର ଜ୍ୟୋତି ।

ତୁମ୍ଭେ ଥିଲେ ପାଶେ କି ଭୟ କାହାକୁ

ହେଳେ ଲଙ୍ଘିବି ବିପତ୍ତି;

ଦୁଷ୍ଟ ରିପୁକୁଳ ହୋଇବେ ନିର୍ମୂଳ

ନିର୍ମଳ ହୋଇବ ମତି ।

ତୁମ୍ଭ ପ୍ରେମମୁଖ ଦେଖି ପାସୋରିବି

ଅସାର ବିଷୟ-ପ୍ରୀତି;

ତୁମ୍ଭରି ଆଦେଶ ଭକ୍ତିଯୋଗ ପାଳି

ଶିଖିବି ସୁପୁତ୍ର ରୀତି ।

ଚିରକାଳ ମୋର ହୃଦେ ବାସ କର

ନାଶ ମୋର ପାପମତି;

ବିଷୟର ଘୋର ମୋହ ଦୂର ହେଉ

ଦିଅ ବହନ ମୁକତି ।

•••

 

(୪୮)

(ଲଳିତ–ଆଡ଼ା)

ତୁମ୍ଭ ବିନା ତାରିବାକୁ

 

ନାହିଁ କେହି ଆନ,

ପତିତପାବନ ତୁମ୍ଭେ

 

କରୁଣାନିଧାନ ।

ଆହେ ବ୍ରହ୍ମାଣ୍ଡର ପତି,

 

ତୁମ୍ଭେ ଅଗତିର ଗତି

ଭକ୍ତି-ମହୌଷଧ ପ୍ରଭୁ

 

କର ମୋତେ ଦାନ ।

ନିରାଶ ମୋର ହୃଦୟ

 

କି କହିବି ଦୟାମୟ,

ଜାଣୁଛ କି ଦଃଖେ

 

ପ୍ରଭୁ ଅବସନ୍ନ ପ୍ରାଣ !

ନାଶି ହୃଦୟ-ଅନ୍ଧାର

 

ଘୋର କଳୁଷ-ସମ୍ଭାର

ବହନେ ଦର୍ଶନ ଦିଅ

 

ମଙ୍ଗଳନିଦାନ ।

•••

 

(୪୯)

(ତୋଡ଼ିପରଜ–ଆଡ଼ତାଳୀ)

ଦୟାସାଗରେ ହେ, ଦେଖା ଦିଅ ଅଛ କାହିଁ ।

ତୁମ୍ଭ ବିନା ପ୍ରଭୁ ଏ ବିଶ୍ୱସଂସାର

କ୍ଷଣେ ଭଲ ନ ଲାଗଇ ।

ମୋହ-ଅନ୍ଧକାରେ ଅନ୍ଧ ମୋ ନୟନ

ଶ୍ରୀଚରଣ ଦିଶୁନାହିଁ;

ପାପ-ଯାତନାରେ ହୃଦୟ ଅଥୟ

ହେଉଛି ହେ ବିଶ୍ୱସାଇଁ ।

ଆକାଶ ସାଗର ଗିରି ବନ ନଦୀ

ଚରାଚର ବିଶ୍ୱ ଏହି,

ସଂସାର ବିଷାକ୍ତ ନୟନ ଅଗ୍ରତେ

କ୍ଷଣେ ସୁଦ୍ଧା ନ ଶୋଭଇ ।

ଜୀବନ ଯୌବନ ଧନ ମାନ ଜ୍ଞାନ

କାହିଁରେ ତ ଶାନ୍ତି ନାହିଁ;

ନିରାଶ ବ୍ୟାକୁଳ ଅବସନ୍ନ ଚିତ୍ତେ

ଡାକୁଅଛି ପ୍ରଭୁ ମୁହିଁ ।

ଦରଶନ ବାରେ ଦିଅ ପ୍ରାଣସଖା

ଭକ୍ତଜନ ଭାବଗ୍ରାହୀ;

ତୁମ୍ଭ ପାଦପଦ୍ମେ ସମର୍ପି ହୃଦୟ

ରହିବି ନିର୍ଭୟ ହୋଇ ।

•••

 

(୫୦)

(ସୁରଟମଲ୍ଲାର–ଏକତାଳ)

ପାଦପଦ୍ମେ ରଖ ମତି;

ହୃଦୟର ସ୍ୱାମୀ ପ୍ରଭୋ ଅନ୍ତର୍ଯ୍ୟାମୀ

କୃପା କର ଦୀନ ପ୍ରତି ।

ପତିତପାବନ ତୁମ୍ଭେ କୃପାମୟ

ଗତିହୀନ ଜନ ମୁହିଁ ନିରାଶୟ,

ଦୁଃଖହାରୀ କହି ଆଉ ବିଶ୍ୱେ ନାହିଁ

ଜାଣିଅଛି ବିଶ୍ୱପତି ।

ଚତୁର୍ଦ୍ଦିଗେ ପ୍ରଭୁ ସଂସାର-ଶ୍ମଶାନ,

ଭୟରେ ହୃଦୟ ସଦା କମ୍ପମାନ,

ଦେଇ ପୁଣ୍ୟବଳ ପ୍ରେମ-ଶାନ୍ତି-ଜଳ

କିଏ ଫେଡ଼ିବ ଦୁର୍ଗତି ।

କିସ ଜଣାଇବି ଦେଖୁଛ ମୋ ଦଶା,

ପାଦପଦ୍ମେ ମୋର ସକଳ ଭରସା,

ରହୁ ତହିଁ ମୋର ମନ-ମଧୁକର

ନିଶ୍ଚେ ଘୁଞ୍ଚିବ ଦୁର୍ଗତି ।

କେବେ ହେବ ପ୍ରଭୁ ସେ ଶୁଭ ମୁହୂର୍ତ୍ତ,

ଦୁଷ୍ଟ ରିପୁଦଳ ହେବେ ପରାଭୂତ,

ହେବ ଏ ପ୍ରାଣର ରାଜରାଜେଶ୍ୱର

ଘେନିବ ମୋର ପ୍ରଣତି ।

ଚରଣକମଳୁ ଅମୃତ ପିଇବି,

ସକଳ ହୃଦୟେ ତୁମ୍ଭଙ୍କୁ ପୂଜିବି,

ସଦା ସର୍ବ ସ୍ଥାନେ ତୁମ୍ଭ ନାମ ଗାନେ

ଲଭିବି ପୁଣ୍ୟ-ସମ୍ପତ୍ତି ।

•••

 

(୫୧)

(ଭୈରବ–ଝୁଲା)

ପ୍ରଭୁଙ୍କୁ ଦେଖିଲେ ଥରେ

 

ଆଉ ତ ନ ଛାଡ଼ିବି ରେ ।

ପ୍ରେମବିମୋହିତ ଡୋଳେ

 

ଅନାଇ ରହିବି ଭୋଳେ

ଭକ୍ତି-ଅଶ୍ରୁଜଳେ ଭାସି

 

ପଦତଳେ ପଡ଼ିବି ରେ ।

କହିବି, ‘‘କ୍ଷମାସାଗର,

 

ଦୀନଗହୀନ କ୍ଷମା କର

ନୋହିଲେ ଗଲିଟି ସରି’’

 

ବୋଲି କର ଯୋଡ଼ିବି ରେ ।

ଫିଙ୍ଗି ଦୂରେ ଅହଙ୍କାର

 

ଶ୍ରୀପଦ କରିବି ସାର

ରଖ ରଖ ବୋଲି କୃପା-

 

ସିନ୍ଧୁଜଳେ ବୁଡ଼ିବି ରେ ।

•••

 

(୫୨)

(ମୂଲତାନ–ଯତ୍‌)

ହେ ବିଶ୍ୱନନ୍ଦନ ବାରେ

 

ତୁମ୍ଭର ପ୍ରକାଶେ

ଫୁଟାଅ ଏ ପ୍ରାଣ-ପଦ୍ମ

 

ଅପୂର୍ବ ବିକାଶେ ।

ସେ ଅପୂର୍ବ ଦରଶନେ

 

ପୁଲକପୂରିତ ମନେ

ଆନନ୍ଦ ସଙ୍ଗୀତ ସ୍ଫୁରୁ

 

ଅମୃତ ଉଚ୍ଛ୍ୱାସେ ।

ସେ ଗୀତ ଉନ୍ମାଦସ୍ରୋତେ

 

ନଚାଇ ନଚାଇ ମୋତେ

ଘେନିଯାଅ ଯଥା ଇଚ୍ଛା

 

ନାଶି ପାପ-ତ୍ରାସେ ।

•••

 

(୫୩)

(ଭୈରବ–ଏକତାଳୀ)

କୋଟି ଜଗତର ରାଜରାଜେଶ୍ୱର

ବିରାଜ ହୃଦୟ-ଗଗନେ,

ପ୍ରଭୋ ନିରଞ୍ଜନ ଡାକେ ଦୀନ ଜନ

ଅବନତ ତବ ଚରଣେ ।

ଚିରସଖା ମୋର ଅନ୍ତରତମ,

କେ ଅଛି ସଂସାରେ ତୁମ୍ଭରି ସମ ?

ଚିର ପିତା ମାତା ସହାୟ ମମ

ଚିରସଙ୍ଗୀ ମମ ଜୀବନେ ।

ଭୁବନବରେଣ୍ୟ ଭୟଭଞ୍ଜନ

ସର୍ବଶୁଭଦାତା ଶାନ୍ତିସଦନ

ଦୂରିତ-ତିମିର ହର ଶରଣ

ଅଛ ସଖା ପ୍ରାଣେ ଗୋପନେ ।

ଦଗ୍‌ଧହୃଦୟ- ଶାନ୍ତି ଚନ୍ଦନ

ଆନନ୍ଦ-ଆଳୟ ପ୍ରାଣନନ୍ଦନ

ନିଖିଳ ଜଗତେ ଅମୃତ-ଧନ

ବିତରୁଛ ପ୍ରଭୋ ଗୋପନେ ।

•••

 

(୫୪)

(ବଙ୍ଗଳାଶ୍ରୀ)

ଦିଅ ଯା ଦେବାର ସୁଖ କିବା ଦୁଃଖ

ଯାହା ଇଚ୍ଛା ହେ ତୁମ୍ଭର;

ତଥି ମଧ୍ୟେ ଯେହ୍ନେ କେବଳ ମଙ୍ଗଳ

ଦେଖୁ ଏ ନେତ୍ର ମୋହର ।

ଫଳୁ ଅବା ମରୁ ଆଶା-ଲତା ମୋର

ସଂସାର-ବନ ମଧ୍ୟର;

ପଦଚ୍ଛାୟାତଳେ ରଖିଅଛ ମୋତେ

ବୋଲିବି ମୁଁ ନିରନ୍ତର ।

ବିପଦ-କ୍ଳେଶର ତୀବ୍ର କଶାଘାତ

ସମ୍ପଦର ସ୍ନେହାଦର;

ସବୁରି ମଧ୍ୟରେ ତୁମ୍ଭ ଇଚ୍ଛା ଜୟ

ହେଉ ଆହେ ପ୍ରାଣେଶ୍ୱର ।

•••

 

(୫୫)

(ଭାଟିଆରି–ଆଡ଼ତାଳୀ)

ଅନୁକ୍ଷଣ, ଦୁର୍ବଳ-କାତରେ ଦିଅ ଦରଶନ ।।

ଅନ୍ତରେ ବାହାରେ ରିପୁଦଳ

ତରଜନ୍ତି କରି କୋଳାହଳ;

ବିଷମ ସଂକଟେ ପଡ଼ି ଡାକଇ ମୁଁ

ଅନାଥ ଅଧମ ଅକିଞ୍ଚନ ।

ଅଭୟ ଘୋଷଣା ଶ୍ରୀମୁଖର

ଶୁଣାଅ ହେ ବାରେ ପ୍ରାଣେଶ୍ୱର,

ଅକାତରେ ତେବେ ତୁମ୍ଭ ଜୟ ଘୋଷି

ଭେଟିବି ସକଳ ରିପୁଗଣ ।

ଅନ୍ୟ ଭିକ୍ଷା ନାହିଁ ଶ୍ରୀଚରଣେ

ତୁମ୍ଭ ଇଚ୍ଛା ଜୟ ଏ ଜୀବନେ;

ଦେଖାଅ ବହନ ବିଘ୍ନବିନାଶନ

ହେ ଭୟଭଞ୍ଜନ ନିରଞ୍ଜନ ।

•••

 

(୫୬)

(ଦେଶାକ୍ଷ–ତ୍ରିପଟା)

ଚକିତେ ଏ ଚିତ୍ତେ ଦେଖା-

 

ଦେଇ କାହିଁ ଲୁଚିଲ ହେ ।

ଘୋର ଏ ସଂସାର-ବନ

 

ଏକାକୀ ମୁଁ ଅକିଞ୍ଚନ

ଅସହାୟ ସଙ୍ଗେ ସଖା

 

ଏ କି କୂଟ ରଚିଲ ହେ ।

ବିଷୟ ପ୍ରଳୟଜଳ

 

ମାଡ଼ି ଆସେ ଅବିରଳ

ଏ ବିଷମ ସଙ୍କଟେ କି

 

ସତେ ମୋତେ ମୁଞ୍ଚିଲ ହେ ।

ଶ୍ରୀପଦ-ଦର୍ଶନରଙ୍କେ

 

ଦେଖାଦିଅ ଏ ଆତଙ୍କେ

ବାଞ୍ଛାକଳ୍ପତରୁ ନାମେ

 

ବାଞ୍ଛା ସିଦ୍ଧି ସୁଚିଲ ହେ ।

•••

 

(୫୭)

(ଝିଁଝିଟ ଖମ୍ୱାଜ–ଯତ୍‌)

ଏ ଜୀବନ ଦେଖ ପ୍ରଭୁ କେମନ୍ତ ଅସାର

ଫଳହୀନ ତରୁସମ ଧରଣୀର ଭାର ।

କାମ କ୍ରୋଧ ଲୋଭ ମୋହେ ସଦା ଏ ହୃଦୟ ଦହେ

ଘୋଟିଅଛି କୁଟିଳତା ଦ୍ୱେଷ ଅହଙ୍କାର ।

ଏହି ଯେ ଜୀବନ ମନ ରହିଅଛି ଅଚେତନ

ଗ୍ରାସିଛି ତାହାକୁ ପ୍ରଭୁ ବିଷମ ବିକାର ।

ଆହେ ପ୍ରଭୁ ଦୟାମୟ ଅନାଥଜନ ଆଶ୍ରୟ

ଫେଡ଼ ଏ ଦୁର୍ଗତି ମୋର କୃପାପାରାବାର ।

•••

 

(୫୮)

(ଝିଁଝିଟ–ଏକତାଳ)

ଚିର ଶୁଷ୍କ ଥିବ କି ହେ,

 

ଅଧମର ଏ ହୃଦୟ ?

ମରିବି କି ମେରୁ ମଧ୍ୟେ

 

ଆହେ ପ୍ରଭୁ ଦୟାମୟ ।

ରସରୂପ ତୁମ୍ଭେ ହରି

 

ଦିଅ ରସେ ହୃଦ ଭରି

ପାଷାଣ ହୃଦୟ ପ୍ରଭୁ

 

କର ପ୍ରେମୋଚ୍ଛ୍ୱାସମୟ

ଆସ ପ୍ରାଣସଖା ମମ

 

ପ୍ରାଣେଶ୍ୱର ନିରୁପମ

ପ୍ରାଣାକାଶେ ବହାଅ ହେ

 

ପୁଣ୍ୟ ପ୍ରେମର ମଳୟ ।

ହୃଦୟର ଋତୁରାଜ

 

ହୃଦ-କାନନେ ବିରାଜ

ସ୍ୱର୍ଗୀୟ ସୌରଭେ ପ୍ରାଣ

 

କର ପ୍ରଭୁ ମଧୁମୟ ।

•••

 

(୫୯)

(ମୁଲତାନ–ଆଡ଼ାଠେକା)

ଆଶା କରି ଆସିଅଛି

 

ମହାପ୍ରଭୁ ତୁମ୍ଭ ଦ୍ୱାରେ,

ଏକମାତ୍ର ଆଶା ତୁମ୍ଭେ

 

ଭୟାବହ ଏ ସଂସାରେ।

ପାପର କୁହୁକେ ମଜ୍ଜି

 

ତୁମ୍ଭ ଶ୍ରୀଚରଣ ତେଜି

ଭ୍ରମିଛି ହେ କେତେ କାଳ

 

ମାତି ଅନିତ୍ୟ ସଂସାରେ

ଦଗ୍‌ଧ ହୋଇ ପାପାନଳେ

 

ବୁଡ଼ିଛି ନୈରାଶ୍ୟ-ଜଳେ

କାଟିଅଛି ଦିନ ପ୍ରଭୁ

 

ଦୁଃଖମୟ ହାହାକାରେ ।

ଟାଣିଅଛ ତୁମ୍ଭେ ପୁଣ

 

ଧନ୍ୟ ତବ କୃପାଗୁଣ

ଶ୍ରୀପଦ ଆଡ଼କୁ ପ୍ରଭୁ

 

ନୂତନ ଆଶା ସଞ୍ଚାରେ

ପୁଣି ହେ କେମନ୍ତ ହରି

 

ତୁମ୍ଭପାଦ ପରିହରି

ପଡ଼ିଅଛି ଦୁର୍ବିପାକେ

 

ବିଷମ ପାପବିକାରେ ।

ଏହିପରି କେତେ ଦିନ

 

କାଶଟିବ ହେ ଦୀନହୀନ

ଚିରଦିନ ପାଇଁ ଏବେ

 

ଉଦ୍ଧାର କର କୃପାରେ

ଶ୍ରୀପଦେ ରଖ ମୋ ମତି

 

ହେ ହରି ବ୍ରହ୍ମାଣ୍ଡପତି

ଉଦ୍ଧାର ଅଧମ ଜନେ

 

ନାଶି ମୋହ-ଅନ୍ଧକାରେ ।

 

 

 

ଏ ଜୀବନ ଏ ଭବନ

 

ପାଦେ କଲି ସମର୍ପଣ

ସୁମତି ଦିଅ ହେ ନାଥ

 

ଏହି ଦୀନ ପରିବାରେ ।

•••

 

(୬୦)

(ମୁଲତାନ–ଆଡ଼ାଠେକା)

ଆସ ଆସ ମହାଶକ୍ତି

 

ତୁମ୍ଭେ ଦୁର୍ବଳର ବଳ

ମାଗଇ ଶରଣ ଦୁଃଖୀ

 

ଆହେ ଅନାଥବତ୍ସଳ ।

ଅଧମ ଦୁର୍ବଳ ଜନେ

 

ରଖ ପ୍ରଭୁ ଶ୍ରୀଚରଣେ

ଦୀପ୍ତ କର ପ୍ରାଣେ ତାର

 

ପୂଣ୍ୟ ତେଜ ସୁବିମଳ ।

ଏ ହୃଦୟ ଦିବାରାତି

 

ଗାଉ ହେ ଆନନ୍ଦେ ମାତି

ତୁମ୍ଭ ଜ୍ଞାନ-ପ୍ରେମାଲୋକେ

 

ଅନ୍ତର ହେଉ ଉଜ୍ଜ୍ୱଳ ।

•••

 

(୬୧)

(କାମୋଦୀ–ଏକତାଳୀ)

ଭରସା ଏକମାତ୍ର ଶ୍ରୀପଦ ହେ,

ପରମପିତା ଶୁଭବରଦ ହେ ।

ଛାଡ଼ି ଚରଣାଶ୍ରୟ ଭ୍ରମି ସଂକଟମୟ

ଭବେ ହରାଇ ସର୍ବ ସମ୍ପଦ ହେ,

ଆସିଅଛି ଲେଉଟି ପାପ-ପଙ୍କରୁ ଉଠି

ବିନାଶ ବିଭୁ ସର୍ବ ବିପଦ ହେ ।

ପାପ-କୁହୁକେ ପଡ଼ି ମୋହ-ଜାଲରେ ଜଡ଼ି

ଆଦରିଥିଲି ତୁମ୍ଭ ବିଚ୍ଛେଦ ହେ,

ଏବେ ଯନ୍ତ୍ରଣା ଘୋର ବିନାଶି ଧୈର୍ଯ୍ୟ ମୋର

ଅଥୟ କରୁଅଛି ଏ ହୃଦ ହେ ।

ଆସିଛି ଯେଣୁ ଧାଇଁ ରଖ ହେ ପ୍ରାଣସାଇଁ

ଅନାଥ ଜନେ ହରି ଶୁଭଦ ହେ,

ଗଲେ ଏ ପ୍ରାଣ ଯାଉ ଛାଡ଼ିବି ନାହିଁ ଆଉ

ତୁମ୍ଭେ ମୋହର ସର୍ବ-ସମ୍ପଦ ହେ ।

•••

 

(୬୨)

(ତୋଡ଼ିପରଜ–ଆଡ଼ତାଳୀ)

ଶୁଭବିଧାତା ହେ, କର ହେ ଶୁଭ ବିଧାନ;

ଆଜି ଶୁଭକ୍ଷଣେ ତୁମ୍ଭ ଶ୍ରୀଚରଣେ

ଏ ଅନାଥେ ଦିଅ ସ୍ଥାନ ।।

ବର୍ଷ ଗଲା ଚାଲି ବୃଥା ଭାଳି ଭାଳି

କରି ନାନା ପାପମାନ,

ନବ ବର୍ଷ ଆଜି ଆସିଅଛି, ପଦେ

ଦିଅ ମୋତେ ନବ ପ୍ରାଣ ।

ପାପେ ତାପେ ପ୍ରଭୁ ଏ ହୃଦୟଦେଶ

ବିକଟାଳ ଶମଶାନ,

ନିରାଶ୍ୱାସ ହୋଇ ଡାକୁଅଛି ମୁହିଁ

ଆସ ଆଶାର ନିଦାନ ।

ଶ୍ରୀପଦ ପରଶେ କ୍ଷଣକେ ହୃଦୟେ

ଦୁଃଖ ହେବ ଅବସାନ;

ପୁଣ୍ୟ ନିର୍ଝରିଣୀ ହେବ ପ୍ରବାହିତ

ଶୀତଳ ହୋଇବ ପ୍ରାଣ ।

ତବ ଆଶୀର୍ବାଦେ ହେବ ନବୀଭୂତ

ଏ ହୃଦୟ ମ୍ରିୟମାଣ,

ପ୍ରେମାନନ୍ଦେ ମାତି       ଭକ୍ତ ଦଳ ସଙ୍ଗେ

କରିବି ହେ ନାମଗାନ ।

ଜୀବନ ସମର୍ପି ତବ ପାଦତଳେ

କରିବି ଅମୃତ ପାନ,

ଦେଲ ଆଶା ଯଦି କୃପା କରି ତାହା

ପୂର୍ଣ୍ଣ କର ଭଗବାନ ।

•••

 

(୬୩)

 

ଭିକ୍ଷା ମାଗଇ ଚରଣେ,

ଦୀକ୍ଷା ଦିଅ ଜ୍ଞାନଦାତା ମହାପ୍ରଭୁ ଏ ମୂଢ଼ଜନେ ।

ମୋହ ଘନ ଅନ୍ଧକାରେ ବେଷ୍ଟିତ ମୁହିଁ ସଂସାରେ

ଭୟେ ବିକମ୍ପିତ ପ୍ରାଣ ରିପୁ ଗର୍ଜନେ;

ଏକାକୀ ଯିବି ହେ କାହିଁ ଏ ଘୋର ବନେ

ଆସ ଆସ ଆସ ଆସ ମହାପ୍ରଭୁ ରଖ ଏ ଅକିଞ୍ଚନେ ।

କେତେ କେତେ ବର୍ଷ ହରି ଗମଲି ଦୁଶ୍ଚିନ୍ତା କରି

ନ ଚିନ୍ତିଲି କାହୁଁ ଆସିଅଛି ଭୁବନେ;

କାହିଁ ସେ ସ୍ୱଦେଶ ମୋର ନ ଭାଳେ ମନେ,

ଦେଖାଅ ଦେଖାଅ ପଥ ମହାପ୍ରଭୁ ଦେଇ ଜ୍ୟୋତି ଲୋଚନେ ।

ଶ୍ରୀଚରଣ ଛାୟାତଳେ ବସାଇ ନିତ୍ୟ ବିରଳେ

ତୁମ୍ଭ ପୁଣ୍ୟ ଶାନ୍ତିଜଳ ସିଞ୍ଚ ଜୀବନେ,

ସତ୍ୟ ଜ୍ଞାନ ଦୀକ୍ଷା ଏବେ ଦିଅ ଏ ମନେ;

ତାର ତାର ଜଗଦୀଶ ମହାପ୍ରଭୁ ମୂଢ ଅନାଥ ଜନେ ।

•••

 

(୬୪)

(ଶଙ୍କରାଭରଣ ଆଠତାଳୀ)

ପାପର ଜ୍ୱାଳା କେତେ ସହିବି ହେ,

କା ଆଗେ ଦୁଃଖ ମୋର କହିବି ହେ ।

ରିପୁର ନିର୍ଯ୍ୟାତନ ପାପ ତାପ ଦହନ

ପ୍ରାଣେ ଅନର୍ଥ କେତେ ବହିବି ହେ ।

ଯାଉଛି ଦିନ ସରି କହ କେମନ୍ତେ ହରି

ଏ ପାପ-ପଶୁଁ ମୁକ୍ତ ହୋଇବି ହେ ।

କଳଙ୍କ ରେଖାମୟ ଦେଖ ହେ ଏ ହୃଦୟ

ଆଜି ଶ୍ରୀପଦ ତୀର୍ଥେ ଧୋଇବି ହେ ।

ଲଭିବି ଶୁଭ୍ର ପ୍ରାଣ ହେବ ଜ୍ୱାଳା ନିର୍ବାଣ

ଶ୍ରୀପଦ ଛାୟାତଳେ ରହିବି ହେ ।

•••

 

(୬୫)

(ପଞ୍ଚମବରାଡ଼ୀ–ତ୍ରିପଟା)

ଧନ୍ୟ ହେ ମଙ୍ଗଳମୟ, ନିଖିଳଭୁବନାଶ୍ରୟ

ଭକତର ବାଞ୍ଛାକଳ୍ପତରୁ,

ପ୍ରେମାନନ୍ଦ ସୁଧାଝର ଝରୁଅଛି ନିରନ୍ତର

ତୁମ୍ଭ ଶ୍ରୀଚରଣକମଳରୁ ହେ ମହାପ୍ରଭୁ ।

ଅନାଥଶରଣ ପିତା ମାତା

ଅଗତି ଜନର ପରିତ୍ରାତା,

ସଂସାର-ଜଳଧି ସେତୁ, ପୁଣ୍ୟ ଶାନ୍ତି ଭକ୍ତି ହେତୁ

ଏକା ତୁମ୍ଭେ ସର୍ବସୁଖଦାତା ହେ ମହାପ୍ରଭୁ ।

ଜାଣିଛି ତୁମ୍ଭେ ମୋହର ଅଟ ହେ ହୃଦୟେଶ୍ୱର

ଆସ ଆସ ଏ ହୃଦେ ବହନ;

ଚଞ୍ଚଳବାସନାଦଳ ରିପୁବର୍ଗ କୋଳାହଳ

ଏ ହୃଦରୁ କରୁ ପଳାୟନ ହେ ମହାପ୍ରଭୁ;

ସର୍ବ ପାପ ସନ୍ତାପ ହରଣ

ଅଟେ ତବ ଅଭୟ ଚରଣ

ଆନନ୍ଦେ ହୃଦ-କୁଟୀରେ ନୀରବେ ନୟନନୀରେ

ଏକାନ୍ତେ ପୂଜିବି ଅନୁକ୍ଷଣ ହେ ମହାପ୍ରଭୁ ।

ପଦତଳେ ବସିବାର କେଡ଼େ ବଡ଼ ଅଧିକାର

ଦେଇଛ ଏ ଦୀନହୀନ କୀଟେ;

ନିମିଷେ ବସନ୍ତେ ତହିଁ ଭୂଷିତ ଦିଶଇ ମୁହିଁ

ଜ୍ୟୋତିର୍ମୟ ଅମର କିରୀଟେ ହେ ମହାପ୍ରଭୁ;

ଫୁଟଇ ମୋ ମନ-ଶତଦଳ

ପୂରେ ପ୍ରାଣେ ପୁଣ୍ୟ ପରିମଳ,

ଅନାଇଲେ ତୁମ୍ଭ ମୁଖେ ହୁଏ ହୃଦ ସ୍ୱର୍ଗସୁଖେ

ବିଷ୍ପାରତ ପ୍ରସନ୍ନ ବିମଳ ହେ ମହାପ୍ରଭୁ ।

•••

 

(୬୬)

(ବଙ୍ଗଳା ସଙ୍ଗୀତର ଅନୁବାଦ)

(ଲଳିତ–ଯତ୍‌)

ଦେ ମା’ ଭକ୍ତିଭାବ ଏ ଜୀବନେ

ଅବିଶ୍ୱାସ ନାଶ ମା’ ବହନେ ।

ପବିତ୍ର ଭକ୍ତି ନୟନେ ଦେଖିବି ମା’ ପ୍ରେମାନନେ

ପ୍ରେମାନନ୍ଦ ଭୁଞ୍ଜିବି ଗୋପନେ,

ଭକ୍ତଦଳେ ମିଶି ପୂଜିବି ଚରଣେ ।

ଭକତ ଶ୍ରବଣେ ନାମ ଶୁଣି ହେବି ଶୁଦ୍ଧକାମ

ତବ ବାଣୀ ଶୁଣିବି ଶ୍ରବଣେ,

କରୁଣା କର ମା’ ଏ ଅଧମ ଜନେ ।

ଦେ ମା’ ଭକ୍ତର ବାସନ ଦେ ମା’ ଏ ଅଧମ ଜନେ।

ଭକ୍ତ ସଙ୍ଗେ ତୋ ଗୁଣ କୀର୍ତ୍ତନେ,

ଯାଉ ମୋ ଦିନ ଶ୍ରୀପଦସେବନ ।

ଦେ ମା’ ଭକ୍ତର ବିଶ୍ୱାସ ଦେ ମା’ ଭକ୍ତର ପ୍ରୟାସ

ଭକ୍ତର ଚେତନା ଦେ ମା’ ମନେ,

ମୋର ସବୁ ଆଶା ଅଭୟ ଚରଣେ ।

•••

 

(୬୭)

(କାମୋଦୀ–ଆଦିତାଳ)

ତୋ ସନ୍ତାନ ମୁହଁ ମା’ ଗୋ କାହାକୁ ମୁଁ ଡରିବି,

ଭୟ ଶଙ୍କା ଆସିଲେ ମା ତୋ ଶ୍ରୀହସ୍ତ ଧରିବି ।।

ବେଢ଼ିଲେ ମା’ ରିପୁଗଣ ତୋର ନାମ ସୁଦର୍ଶନ

ଘେନି ସେ ଅରାରିବଳ ନିମିଷେ ସଂହାରିବି ।

ମରଣର ବିଭୀଷିକା ନାଶିବୁ ତୁ ଅମ୍ବିକା

ପଦତରୀ ଅବଲମ୍ବି ଭବସିନ୍ଧୁ ତରିବି ।

•••

 

(୬୮)

 

ଦିନ ମୋର ଗଲା ଚାଲି

 

ପ୍ରଭୁ ବୃଥା ଭାଳି ଭାଳି;

ଏ ହୃଦ ତିମିରମୟ

 

ଦିଅ ପ୍ରେମେଜ୍ୟୋତି ଜାଳି ।

ଶୂନ୍ୟପ୍ରାଣ ମୁଁ ଅନାଥ,

 

ଦେଖ ହେ ବ୍ରହ୍ମାଣ୍ଡନାଥ,

ଅକୃତୀ ଅଧମ ହୃଦେ

 

ଦିଅ ବ୍ରହ୍ମତେଜ ଢାଳି ।

ଆସିବ ଶ୍ରୀପଦ ପାଶେ

 

ବସିଥିଲି ଏହି ଆଶେ

କିନ୍ତୁ ଏ ବିଡ଼ମ୍ବନା

 

ଦେଇଅଛି ଯୁଗ ଟାଳି।

କଳା କେଶ ହେଲା ଧଳା

 

ମୃତ୍ୟୁ ଧରିଅଛି ଗଳା

ତଥାପି ମୁଁ ନ ଲୋଡ଼ିଲି

 

ତବ ଶ୍ରୀପଦ ସଙ୍ଖାଳି ।

ଯା ହେବାର ତ ହେଲାଣି

 

ଶୁଣାଅ ଅଭୟବାଣୀ

ବାଜୁ ଏ ନିରାଶ ପ୍ରାଣେ

 

ତୁମ୍ଭରି ଜୟ-କାହାଳି ।

•••

 

(୬୯)

 

ହରି ଅଧମ-ଉଦ୍ଧାରକାରୀ ହେ,

ମୋତେ ରଖ ପାପରୁ ଉଦ୍ଧାରି ହେ ।

ଆଉ କାହା ଆଗେ କହିବି ମୋ ଦୁଃଖ

କେ ଶୁଣିବ ମୋ ଗୁହାରି ହେ ।

କେ ନାହିଁ ମୋର ନିଖିଳ ସଂସାରେ

ତୁମ୍ଭ ବିନା ଦୁଃଖହାରୀ ହେ ।

ଭାସୁଛି ବିକଳେ ସଂସାର-ସମୁଦ୍ରେ

ସେ ସମୁଦ୍ର କର ପାରି ହେ ।

•••

 

(୭୦)

(ବଙ୍ଗଳା ସଙ୍ଗୀତର ଅନୁବାଦ)

ଦଶା କି ହେବ ମୋହରି,

ଯଦି ମୁଁ ପାତକୀ ବୋଲି ତେଜିବ ହେ ପ୍ରାଣଈଶ୍ୱର ।

ପାପେ ଦହୁଛି ଏ ପ୍ରାଣ କର ମୋତେ ଶାନ୍ତିଦାନ

କରୁଣାନିଧାନ ପ୍ରଭୁ ଶାନ୍ତିସାଗର,

ସହି ନ ପାରେ ଜ୍ୱାଳା ଅତି କାତର;

ଅନାଥଶରଣ ପ୍ରଭୁ ଦୀନଜନେକରୁଣା କର ।

ତୁମ୍ଭ ହସ୍ତେ ଏ ଜୀବନ କରୁଅଛି ସମର୍ପଣ

ରଖ ଅବା ମାର ପ୍ରଭୁ ହେ ପରାତ୍ପର;

କାହା ପାଶେ ଜଣାଇବି ଦୁଃଖ ମୋହର;

ଶୂନ୍ୟ ଦିଶେ ତ୍ରିଭୁବନ ବିକଳ ଏ ଦୁଃଖୀ-ଅନ୍ତର ।

ବିଚାରକୁ ଆସେ ଯାହା ଦିଅ ଦଣ୍ଡ ପ୍ରାଣନାହା

ଖଣ୍ଡ ଖଣ୍ଡ କର ପ୍ରଭୃ ପାପୀ ଅନ୍ତର;

ଏ ମହାପାତକୀ ମଲେ ହସ୍ତେ ତୁମ୍ଭର

ଲଭିବ ହେ ନବ ପ୍ରାଣ ମହାପ୍ରଭୁ କୃପାସାଗର ।

•••

 

(୭୧)

(କାମୋଦୀ–ଆଠତାଳୀ)

ପାର୍ଥନା ପ୍ରଭୁ ଚରଣେ ତବ

ଲାଗିଥାଉ ପ୍ରାଣେ ତୁମ୍ଭ ଉତ୍ସବ ।

ବସାଇ ଅଭୟ ଚରଣ-ପୋତେ

ଭସାଅ ହେ ତୁମ୍ଭ ଆନନ୍ଦସ୍ରୋତେ।

ବିଶ୍ୱଜୟୀ ତୁମ୍ଭ ଜୟ-ନିଶାଣ

ଦରଶନେ ମୁଗଧ୍‌ ହେଉ ମୋ ପ୍ରାଣ ।

ଅନନ୍ତ ଗୌରବ ମହିମା ତବ

ଘୋଷୁ ପ୍ରାଣ ନିତ୍ୟ ଦୀନବାନ୍ଧବ ।

ଅମୃତ ଉତ୍ସବ ନିଧାନକାରୀ

ଢାଳ ହୃଦେ ପୁଣ୍ୟ ଅମୃତ ବାରି ।

•••

 

(୭୨)

 

ଦୁଃଖେ କାନ୍ଦଇ ଧରଣୀ,

ଦୁଃଖଭାର ହର ତାର ଦୟାମୟୀ ବିଶ୍ୱଜନନୀ ।

ଦେଖ କୋଟି କୋଟି ଲୋକେ ଦାରିଦ୍ର୍ୟ ସନ୍ତାପ ଶୋକେ

ରହିଛନ୍ତି ଅବସନ୍ନ ଦିବା-ରଜନୀ,

ଜୀବନ ବିଷମଭାର, ଦିବସ ଗଣି,

ସେ ଦୁଃଖ ଦାରିଦ୍ର୍ୟ ଶୋକ ହର ମା’ ଗୋ ଦୁଃଖନାଶିନୀ ।

ଅବିଦ୍ୟାର ଅନ୍ଧକାରେ ସଂସାର-ମୃଗତୃଷ୍ଣାରେ

ବୁଲୁଛନ୍ତି ଶତ ଶତ ବିଷୟୀ ଧନୀ

ଅନିତ୍ୟ କ୍ଷଣ ଭୁଙ୍ଗୁରେ ଶାଶ୍ୱତ ମଣି;

ନାଶି ସର୍ବ ମୋହ ଭ୍ରାନ୍ତି ଉଦ୍ଧାର ମା’ ବିଶ୍ୱପାବନୀ ।

•••

 

(୭୩)

 

ଘନ ଗମ୍ଭୀର ଏହି

 

ଘନୋଦୟ ମାସେ,

ଗାଆରେ ସଘନେ ଆଜି

 

ସେ ମହା ମହେଶେ ।

ଏହି ପଞ୍ଚବିଂଶ ଅବ୍ଦ

 

ଯେଉଁ ବ୍ରହ୍ମନାମ ଶବ୍ଦ

ଘୋଷିଅଛ କ୍ଷୀଣସ୍ୱରେ

 

ଏ ଉତ୍କଳ ଦେଶେ;

ସେ ନାମର ଜୟରବେ

 

ମାତ ହେ ଆଜି ସରବେ

ଅବନତି ଅପନୀତ

 

ହେବ ହେ ନିମେଷେ ।

ଲଭିବ ନବୀନ ପ୍ରାଣ

 

ଘୋଷିଲେ ସେ ବ୍ରହ୍ମନାମ

ବିସର୍ଜିଲେ ଏ ଜୀବନ

 

ପ୍ରଭୁଙ୍କ ଉଦ୍ଦେଶେ ।

•••

 

(୭୪)

(ପିଲୁ ବାରୁଆ–ଯତ୍‌)

ପରମ ଆତ୍ମୀୟ ତୁମ୍ଭେ ପ୍ରାଣବଲ୍ଲଭ,

ଅଭୟଚରଣ ତବ ଦେବଦୁର୍ଲ୍ଲଭ ।

ପରମସୁନ୍ଦର ସଖା ପ୍ରାଣଉତ୍ସବ

କୋଟି ବିଶ୍ୱ ମାଗେ ପ୍ରଭୁ ଆଶ୍ରୟ ତବ ।

ଆନନ୍ଦ ଅମୃତ ପ୍ରେମ ଶାନ୍ତି-ଅର୍ଣ୍ଣବ ।

ଅନନ୍ତ ମହିମା ତବ ଜ୍ଞାନ ବିଭବ ।

ପାପତାପହାରୀ ନାଥ ଦୀନବାନ୍ଧବ

ଧନ୍ୟ ଧନ୍ୟ ପ୍ରାଣସ୍ୱାମୀ କରୁଣା ତବ ।

•••

 

(୭୫)

(ଝିଁଝିଟ – ଏକତାଳ)

ତୁମ୍ଭେ ହେ ଅତଳସ୍ପର୍ଶ ଅଗାଧ ଅମୃତରାଶି,

ପ୍ରାଣ ସେ ଅମୃତେ ବୁଡ଼ି ରହିବାକୁ ଅଭିଳାଷୀ ।

ସେ ଅମୃତ-ସରୋବରେ ବୁଡ଼ାଇ ଦିଅ ହେ ଥରେ,

ସେ ମାଧୁରୀ ଭୁଞ୍ଜଇ ଯେ ସେହି ତ ସ୍ୱରଗବାସୀ ।

ମଜାଇ ସେ ସୁଧାହ୍ରଦେ ଭୁଞ୍ଜାଇ ଦେବ ସମ୍ପଦେ

ରଖିବି କି ସତେ ମୋତେ ଏ ପାପ-ସନ୍ତାପ ନାଶି

•••

 

(୭୬)

 

ଆସ ଦରିଦ୍ର କୁଟିରେ,

ଦୁଖିଃବନ୍ଧୁ ଭକ୍ତଜନେ ଦୟାବିଧିରେ ।

ବ୍ରହ୍ମନାମ ମହାଧନ ମାଗୁଅଛି ଅକିଞ୍ଚନ

କାତରେ ମାଗୁଛି ପଡ଼ି ଭବାବ୍‌ଧିତୀରେ,

ଆସିଅଛ ଦୟା କରି ନାମ-ଧନ ପ୍ରାଣେ ଧରି

ବିତର ସେ ମହାଧନ ଆଜି ଦୁଃଖୀରେ;

ସେ ସମ୍ୱଳେ ତରିଯିବି ଏ ଭବ-ନୀରେ ।

ଭକ୍ତମୁଖେ ବ୍ରହ୍ମନାମ ଅଭକ୍ତ ପାଷାଣ୍ଡ ପ୍ରାଣ

ଶୁଣି ହେବ ପୂର୍ଣ୍ଣକାମ ଆଜି ମହୀରେ,

ପୂର୍ଣ୍ଣ କର ଦୀନ ଆଶା ଶୁଣାଇ ସ୍ୱର୍ଗର ଭାଷା

ଘେନିଯାଅ ପାପୀ ଜନେ ସ୍ୱର୍ଗ ମନ୍ଦିରେ;

ମାଗୁଅଛି ଏହି ଭିକ୍ଷା ପ୍ରଣତଶିରେ ।

•••

 

(୭୭)

(ଝିଁଝିଟ–କୀର୍ତ୍ତନ)

ବିଭୁ ପ୍ରେମସିନ୍ଧୁନୀରେ ଶୁଭବିଧାନର ତରୀ,

ଭାସଇ ରେ ମହାନନ୍ଦେ ମହାପୁଣ୍ୟ ତେଜ ଧରି ।

ଛଡ଼ାଇ ଏହି ଧରଣୀ ଚଢ଼ାଇଣ ସେ ତରଣୀ

ଘେନିଯାଉଛନ୍ତି ପ୍ରଭୁ ବିଶ୍ୱକର୍ଣ୍ଣଧାର ହରି

ଦୁରନ୍ତ ନିଷାଦ କାଳ ବିସ୍ତରିଲା ଘୋର ଜାଲ

କିନ୍ତୁରେ ପରାସ୍ତ ହେଲା ଆତ୍ମା ନ ପାରିଲା ଧରି ।

ଘୋର କାଳକବଳରୁ ଉଦ୍ଧାରନ୍ତି ଜଗଦ୍‌ଗୁରୁ

ଦେଖ ଦେଖ କୃପାବଳେକେତେ ଆତ୍ମା ହେଲେ ପାରି ।

•••

 

(୭୮)

(ଜୟଜୟନ୍ତି–ଝାମ୍ପତାଳ)

ନୟନ-ଅତୀତ ସେହି ପରଲୋକ-ମହାଳୟେ,

ଆସ ଯିବା ସଶରୀରେ ତେଜି ସକଳ ସଂଶୟେ ।

ମହା ସେ ଅମୃତ ଲୋକ ନାହିଁ ଯହିଁ ମୃତ୍ୟୁ-ଶୋକ

ଅନନ୍ତ ମିଳନଭୂମି ସର୍ବ ହଅଦୟେ ହୃଦୟେ ।

ଶୋକେ ଜର୍ଜରିତ ପ୍ରାଣ କାହିଁକି ବ୍ରହ୍ମସନ୍ତାନ

ଛନ୍ତି ସର୍ବେ ପ୍ରିୟଜନ ତହିଁ ଅଭୟ ଆଶ୍ରୟେ ।

ଯୋଗୀ ଋଷି ମହାଜନ କଲେ ଯହିଁକି ଗମନ

ଆମ୍ଭର ଆତ୍ମୀୟ ଜନ ଯାଉଛନ୍ତି ସେ ନିଳୟେ ।

ବିଶ୍ୱାସେ ଆଶ୍ୱାସ ଲଭି ଦେଖେ ସେ ଅମୃତ ଛବି

ସେ ଧାମେ ଅମର ସର୍ବେ ଜିଣି ଶୋକ-ମୃତ୍ୟୁଭୟେ ।

•••

 

(୭୯)

(ବେହାଗ–ଆଡ଼ାଠେକା)

ଏ ଶୋକ ଅନ୍ଧାରେ;

ତୁମ୍ଭରି ଅମୃତ ଜ୍ୟୋତି ଦେଖାଅ ହେ ବାରେ ।

ଚୌଦିଗେ ମୃତ୍ୟୁ ଡଗର ବୁଲୁଅଛି ନିରନ୍ତର

ଘେନିଯାଉଅଛି କେତେ ଆତ୍ମୀୟ ସଖାରେ ।

ପ୍ରତି ପ୍ରାଣେ ଶୋକଚ୍ଛାୟା ବିକଳେ କାନ୍ଦଇ ମାୟା

ଦିଅ ହେ ସାନ୍ତ୍ୱନା ଏହି ଘୋର ନିରାଶାରେ ।

ମୃତ୍ୟୁ ମଧ୍ୟେ ପ୍ରଭୁ ତବ ଅମୃତର ମହୋତ୍ସବ

ଦେଖାଇ ବିନାଶ ନାଥ ଭୟ-ଭାବନାରେ ।

•••

 

(୮୦)

(ଠୁମୁରି)

ଏ ଗୁହ-ଆକାଶେ ନବୀନ ଜ୍ୟୋତି

ପ୍ରକାଶିଲେ ପ୍ରଭୁ କରୁଣାଭରେ

ଅମୃତଧାମର ନବୀନ ଯାତ୍ରୀ

ପ୍ରେରିଅଛ ନାଥ ପ୍ରେମ-ଆଦରେ ।

ସଂହାରିବା ପାଇଁ ଦୁରିତରାଶି

ପ୍ରେରିଲ କି ନବ ବୀର ସମରେ ।

ତୁମ୍ଭରି ଦୟାର ନବ ଦର୍ଶନ

ଦେଖାଇଲ ଏହି ଗୃହ ମଧ୍ୟରେ ।

ଧନ୍ୟ ବିଶ୍ୱମାତଃ ତୁମ୍ଭ କରୁଣା

ଆଜି ହେ ଆନନ୍ଦବିଧାନ କରେ ।

•••

 

(୮୧)

(ଲଳିତ–ଆଡ଼ାଠେକା)

ଏ ସଂସାର ରଙ୍ଗଭୂମି ତୁମ୍ଭେ ତାର ସୂତ୍ରଧର

ନିତ୍ୟ ନବ ନବ ଆତ୍ମା ଦେଖାଉଛ ଅନିବାର ।

ଅଦୃଶ୍ୟ ନେପଥ୍ୟ ଦେଶ ତେଜି କି ପୁଣ୍ୟ ସନ୍ଦେଶ

ଆଣୁଛନ୍ତି ଭବେ ତବ ନବ ନବ ପରିକର ।

ଆଜି ଏ ଗୃହେ କି ରଙ୍ଗେ ନବମାତାର ଉତ୍‌ସଙ୍ଗେ

ନବାନନ୍ଦପ୍ରଦ ନବଶିଶୁ ଶୋଭେ ମନୋହର ।

ଅଙ୍କ ଗର୍ଭାଙ୍କ କ୍ରମେ ତୁମ୍ଭରି ଚରଣାଶ୍ରମେ

ତୁମ୍ଭରି ମଙ୍ଗଳଲୀଳା ଦେଖାଇ ହେ ଅନିବାର ।

ତୁମ୍ଭରି ପୁଣ୍ୟ ଆନନ୍ଦେ ନୂତନ ଗାୟତ୍ରୀଛନ୍ଦେ

ଏହାର ଜୀବନବେଦ ରଚ ବ୍ରହ୍ମ ପରାତ୍ପର ।

•••

 

(୮୨)

(ଭାଟିଆରି–ଆଡ଼ତାଳୀ)

ଶୁଭକ୍ଷଣେ,

ଏ ଯୁଗଳହୃଦ ରଖ ଶ୍ରୀଚରଣେ ।

ତୁମ୍ଭରି ନପ୍ରେମର ଜଗତରେ

ପ୍ରେମେ ଦୋହେଁ ପରସ୍ପରେ,

ଆସିଛନ୍ତି ଆଜି ଆଶୀର୍ବାଦ ଆଶେ

ପବିତ୍ର କର ହେ ଏ ମିଳନେ ।

ବେନି ହୃଦ ବେନି ହସ୍ତ ଧରି

ବିଶ୍ୱପୁରୋହିତ ଆହେ ହରି,

ଯୁଗଳ ହୃଦୟ କରି ଦିଅ ଏକ

ତୁମ୍ଭ ପ୍ରେମ-ମନ୍ତ୍ର ଉଚ୍ଚାରଣେ ।

ବିଘ୍ନବାଧା ସବୁ କରି ଦୂର

କର ଏ ମିଳନ ସୁମଧୁର,

ପ୍ରେମବ୍ରତେ କରି ଦୁହିଙ୍କି ଦୀକ୍ଷିତ

ଘେନିଯାଅ ପ୍ରେମ-ନିକେତନେ ।

•••

 

(୮୩)

 

ଦଶ ଦିଗ ପୂର୍ଣ୍ଣ କରି ମହାଆବିର୍ଭାବେ ହରି

ବିରାଜିଛ ନିଜ ମହିମାରେ,

ସେ ଗମ୍ଭୀର ଆବିର୍ଭାବେ ବୁଡ଼ିବି ଗମ୍ଭୀର ଭାବେ

ଜଳେ ମୀନ ଯେମନ୍ତ ପ୍ରକାରେ ।

ଜଡ଼ତା-ଅନ୍ଧାର ନାଶି ଜ୍ଞାନଜ୍ୟୋତି ପରକାଶି

ଶୁଦ୍ଧ ସତ୍ତ୍ୱ-ପ୍ରେମର ସଞ୍ଚାରେ

ଏ ପାଷାଣ୍ଡ ଜନେ ହରି ପ୍ରେମିକ ଭକତ କରି

ମଗ୍ନ କର ପୁଣ୍ୟ-ପାରାବାରେ ।

•••

 

(୮୪)

(କାମୋଦୀ–ଆଠତାଳୀ)

କେମନ୍ତ ପ୍ରଭୁ ପୂଜିବି ପାଦ,

ହୃଦୟରେ ମୋର ଘୋର ପ୍ରମାଦ ।

ପ୍ରେମଭକ୍ତିହୀନ ପାଷାଣ୍ଡ ଅତି

କଠିନ ହୃଦୟ କୁଟିଳମତି

ଇନ୍ଦ୍ରିୟ ବିଳାସେ ପାପବିକାରେ

ଜଡ଼ିତ ରହିଛି ଏହି ସଂସାରେ ।

କେମନ୍ତେ ଦେଖିବ ସେ ପ୍ରେମାନନେ

ମୋହ ଅନ୍ଧୀଭୂତ ପାପ ନୟନେ ।

ଦୂର କର ପ୍ରଭୁ ଏ ମୃଢ ମତି,

ଶରଣ ପଶିଲି ହେ ବିଶ୍ୱପତି !

•••

 

(୮୫)

(ବନ୍ଦନା ବେଲାଓଲ–ତ୍ରିତାଳୀ)

ଜୟ ଜଗଦୀଶ୍ୱର ଜୟ ପରମେଶ୍ୱର

ଜୟ ଜୟ ମଙ୍ଗଳଦାତା;

ଜୟ କରୁଣାମୟ ଜୟ ବିଶ୍ୱଆଶ୍ରୟ

ଜୟ ଜୟ ବିଶ୍ୱବିଧାତା ।

ଜଗତ-ଉଦ୍ଧାରକ କୋଟିବିଶ୍ୱ ପାଳକ

ସର୍ବହିତକାରକ ପିତା;

ସର୍ବଦୁଃଖବାରଣ ସର୍ବଶୁଭକାରଣ

ଦୀନଜନତାରଣ ତ୍ରାତା ।

ପୁଣ୍ୟଶାନ୍ତିଦାୟକ ସର୍ବସୃଷ୍ଟିନାୟକ

ତ୍ରିଭୁବନବ୍ୟାପକ ଜ୍ଞାତା;

ବିଶ୍ୱପିତା ତାରକ ପାପତାପହାରକ

ଜୟ ଜୟ ଜଗତମାତା ।

•••

 

(୮୬)

(ସ୍ତୋତ୍ର–ଅନୁଷ୍ଟୁପ୍‌ ଛନ୍ଦ)

ନମଃ ପରାତ୍ପର ବ୍ରହ୍ମ

 

ନମସ୍ତେ ପରମେଶ୍ୱର ।

ନମଃ ସର୍ବଜଗତ୍‌ବ୍ୟାପିନ୍‌

 

ନମସ୍ତେ ବିଶ୍ୱକାରଣ ।୧।

ନମୋ ଗୁରୋପିତର୍ମାତଃ

 

ନମଃ ପ୍ରାଣପତେ ପ୍ରଭୋ ।

ନମସ୍ତେ କରୁଣାସିନ୍ଧୋ

 

ସଚ୍ଚିଦାନନ୍ଦ ସୁନ୍ଦର ।୨।

ଜଗନ୍ନାଥ ଜଗତ୍ତାତଃ

 

ଦୀନବନ୍ଧୋ ଦୟାମୟ ।

ନମସ୍ତେ ଜଗଦାଧାର

 

ନମସ୍ତେ ଜଗଦୀଶ୍ୱର ।୩।

ଭବାବ୍‌ଧି କର୍ଣ୍ଣଧାରେଣ

 

ନମୋ ନିତ୍ୟ ନିରଞ୍ଜନ ।

ଅନନ୍ତ ସର୍ବଲୋକେଶ

 

ପରମାତ୍ମାନ୍‌ ନମୋନମଃ ।୪।

•••

 

(୮୭)

(ସ୍ତୋତ୍ର–ଭୁଜଙ୍ଗପ୍ରୟାତ ଛନ୍ଦ)

ନମୋ ଦେବଦେବ

 

ନମୋ ଦୀନବାନ୍ଧୋ,

ନମୋ ନିର୍ବିକାର

 

ନମଃ ପ୍ରେମସିନ୍ଧୋ ।।

ନମସ୍ତେ ବରେଣ୍ୟ

 

ନମସ୍ତେ ଶରଣ୍ୟ,

ନମୋଽନନ୍ତଦେବ

 

ନମୋ ଧନ୍ୟ ଧନ୍ୟ ।୧।

ନମୋସ୍ତେ ମହେଶ

 

ନମୋ ମୁକ୍ତିଦାତଃ,

ନମୋ ନିଷ୍କଳଙ୍କ

 

ନମଃ ପାପିତ୍ରାତଃ,

ନମସ୍ତେ ସ୍ୱୟମ୍ଭୋ

 

ନମଃ ସ୍ୱପ୍ରକାଶ,

ନମୋ ଦୀନନାଥ

 

ନମଃ ଶ୍ରୀନିବାସ ।୨।

•••

 

(୮୮)

(ପ୍ରାର୍ଥନା–ସ୍ରଗ୍‌ଧାରା ଛନ୍ଦ)

ଅଜ୍ଞାନାନ୍ଧେ ମହେଶ ପ୍ରଭୁ କର କରୁଣା

ବିଘ୍ନ ସନ୍ତାପ ନାଶ,

ଆଶାପ୍ରେମେ କୃପାଳୁ ନମଇଁ ତବ ପଦେ

ପୁଣ୍ୟ-ସୂର୍ଯ୍ୟ ପ୍ରକାଶ ।୧।

ନାମାନନ୍ଦେ ତରାଅ ଅଧମଜନଗଣେ

ଶୁଦ୍ଧ ବିଶ୍ୱାସ-ଦାନେ,

ତ୍ରାତା ପାତା ଦୟାଳୁ ରସୁ ହୃଦୟ ସଦା

ନାଥ ତ୍ୱନ୍ନାମଗାନେ ।୨।

•••

 

(୮୯)

(ଆରତି)

ଆରତି କରେ ନରନାରୀ

ପତିତପାବନ ପତିତପାବନ

ସର୍ବଶୁଭକାରୀ ।

ହୃଦୟ ଉଜ୍ଜ୍ୱଳ ଲଭି ପ୍ରେମଜ୍ୟୋତି

ହେ ମଙ୍ଗଳ ମୟ ହେ ମଙ୍ଗଳ ମୟ

କୋଟିବିଶ୍ୱପତି ।

ମୁକ୍ତି ଦାତା ତବ ଚରଣେ ପ୍ରଣତି

ଜୟ ପ୍ରେମମୟ ଜୟ ପ୍ରେମମୟ

ବିତର ସୁମତି ।

•••

 

(୯୦)

(ବନ୍ଦନା)

ଜୟ ଦେବ ଜୟ ଦେବ ଜୟ ମଙ୍ଗଳଦାତା

ପ୍ରଭୁ ମଙ୍ଗଳଦାତା;

ପରମ ପିତା ମାତା ପରମ ପିତା ମାତା

ଭୁବନ ବିଧାରତା ।

ଅଖଣ୍ଡ ତବ ମହିମା କୋଟିବିଶ୍ୱପିତା

ପ୍ରଭୁ କୋଟିବିଶ୍ୱପିତା;

ମଙ୍ଗଳ ସୁନ୍ଦର ହରି ମଙ୍ଗଳ ସୁନ୍ଦର ହରି

କରୁଣାମୟ ତ୍ରାତା ।

କୋଟିବିଶ୍ୱବନ୍ଦିତ ସୁନ୍ଦର ତବ ଚରଣେ

ପ୍ରଭୁ ସୁନ୍ଦର ତବ ଚରଣେ,

ଧ୍ୟାୟି ନାଥ ହୃଦୟେ ଧ୍ୟାୟି ନାଥ ହୃଦୟେ

ପାମର ମୁହିଁ ପ୍ରଣମେ ।

ଦୀନଜନବତ୍ସଳ ହେ ମାଗେ ଶରଣ ଦ୍ୱାରେ

ପ୍ରଭୁ ମାଗେ ଶରଣ ଦ୍ୱାରେ;

ମୁହିଁ ମୂଢ ଅପରାଧୀ ମୁହିଁ ମୃଢ ଅପରାଧୀ

କ୍ଷମା କର କରୁଣାରେ ।

•••

 

(୯୧)

(ସଂକୀର୍ତ୍ତନ)

ଘୋଷ ହେ ଜଗତଜନେ ମହାନନ୍ଦମନେ ।

ସୁଧାମୟ ବ୍ରହ୍ମନାମ ପ୍ରାଣାରାମ

ମୁକ୍ତିଧାମ ଏ ଭୁବନେ ।

ସେହି ମହାନାମେ ଭକ୍ତି ମହାଶକ୍ତି

ପାପତାପ-ବିନାଶନେ ।

ଲୌହପ୍ରାଣ ଦ୍ରବିଯିବ ଆରେ ଜୀବ

ସେହି ନାମ-ସଂକୀର୍ତ୍ତନେ ।

ସେହି ନାମାମୃତବାରି ନରନାରୀ

ପାନ କର ଅନୁକ୍ଷଣେ;

କର ପ୍ରାଣ ମନ ସମର୍ପଣ

ପ୍ରଭୁଙ୍କର ଶ୍ରୀଚରଣେ ।

•••

 

(୯୨)

 

ବ୍ରହ୍ମ ପଦତଳେ ପ୍ରାଣ କର ସମର୍ପଣ ରେ ।

ବିଳମ୍ୱ ନ କର ଆଉ ଗଲା ଏ ଜୀବନ ରେ

ଛାଡ଼ି ପାପାସକ୍ତି ଯଦି ସେ ପାଦେ ମଜ୍ଜିବୁ ରେ ,

ଲଭି ନବ ପ୍ରାଣ ନିତ୍ୟ ଶାନ୍ତିଧାମ

ସଶରୀରେ ଜୀବ ଯିବୁ ରେ ।

ବ୍ରହ୍ମପୁଣ୍ୟାନଳ ଯଦି ଲାଗିବ ଜୀବନନେ ରେ,

ହେବ ରେ ସଂବଶ       ପାପସୁର-ଧ୍ୱଂସ

କ୍ଷଣକେ ମହାଦହନେ ରେ ।

ବିଷୟ-ଗରଳ ତେଜି ବ୍ରହ୍ମ-ପ୍ରେମାମୃତ ରେ

ପାନ କର ସୁଖେ ବ୍ରହ୍ମନାମ ମୁଖେ

କି କରିବ କାଳଦୂତ ରେ ।

•••

 

(୯୩)

 

ବ୍ରହ୍ମକୃପା ହି କେବଳଂ

 

ଗାଅ ନର ନାରୀ,

ବ୍ରହ୍ମକୃପା ବିନା ଗତି

 

ନାହିଁ ରେ କାହାରି ।

ଏକମାତ୍ର ବ୍ରହ୍ମକୃପା

 

ପାପତାପହାରୀ,

ସେହି କୃପାବଳେ

 

ଭବ-ସିନ୍ଧୁ ହେବା ପାରି ।

ସେହି କୃପା ଜୟ ଗାଅ

 

ଦିବସ-ଶର୍ବରୀ,

ଶରଣ ପଶ ହେ ସର୍ବେ

 

ଚରଣେ ତାହାରି ।

•••

 

(୯୪)

 

ଆସ ହେ ଆସ ହେ ଭାଇ ଯିବା ବ୍ରହ୍ମନିକେତନେ,

ପଶିବା ଶରଣ ସର୍ବେ ସେ ଅଭୟ ଶ୍ରୀଚରଣେ ।

ଦୁଃଖୀ ଅସହାୟ ସଖା ଏକା ସେହି ତ୍ରିଭୁବନେ,

ସେହି ସିନା ବୁଝିବେ ରେ ମର୍ମଦୁଃଖ ସଂଗୋପନେ ।

ପିତା ମାତା ପ୍ରଭୁ ଗୁରୁ କେଅଛି ତାଙ୍କ ବିହୁନେ,

ପତିତପାବନ ପ୍ରଭୁ ଉଦ୍ଧାରିବେ କୃପାଗୁଣେ ।

ଅଛି ରେ ଅମୃତଧନ ତାଙ୍କରି ଶାନ୍ତି-ଭବନେ

ହରିବେ ସକଳ ଦୁଃଖ ଦେଇ ସେ ଅମୃତ-ଧନେ ।

ଡାକ ରେ ବ୍ୟାକୁଳେ ଡାକ ସେହି ଅଧମତାରଣେ,

ବିଶ୍ୱାସେ ଲଭିବ ସ୍ୱର୍ଗ ସନ୍ଦେହ ନ କର ମନେ ।

•••

 

(୯୫)

 

କେତେ ଆଶା କରି ଆସିଅଛି ହରି

ପ୍ରଭୁ ଏ ଅଧମ ଜନ;

ବାଞ୍ଛାକଳ୍ପତରୁ ମୋହ-ଦୁରିତରୁ

ତାର ମୋତେ ନିରଞ୍ଜନ ।

ତୁମ୍ଭ ପୁଣ୍ୟଜଳେ ପାପତାପାନଳେ

କରିବେ ହେ ନିର୍ବାପଣ;

ସ୍ନାନ କରି ତହିଁ ପାନ କରିବଇଁ

ସୁଧାମୟ ସେ ଜୀବନ ।

ଭୟବିନାଶନ ତୁମ୍ଭ ପ୍ରେମାନନ

କରିବି ହେ ଦରଶନ;

ଡେରି ଏ ଶ୍ରବଣ ଶ୍ରୀମୁଖ-ବଚନ

ଶୁଣିବି ହେ ଦୟାଘନ

ଦର୍ଶନ ଶ୍ରବଣେ ପଦ-ପରଶନେ

ପ୍ରେମେ ପୂରିବ ଏ ମନ;

ପ୍ରେମର ଆଲୋକ       ଦ୍ୟୁଲୋକେ ଭୂଲୋକେ

ଦେଖିବି ହେ ଶ୍ରୀଚରଣ

ପ୍ରେମ ବିତରଣେ ମଙ୍ଗଳ-ସାଧନେ

ସେବିବି ଜଗତଜନ,

ଦେହ ବୁଦ୍ଧିବଳ ଯା କିଛି ସମ୍ବଳ

ପଦେ କରିବି ଅର୍ପଣ ।

ପବିତ୍ର କାମନା ପବିତ୍ର ଭାବନା

ପ୍ରାଣେ ରଖି ଅନୁକ୍ଷଣ;

ତୁମ୍ଭ ପୁଣ୍ୟାଦେଶ ହେ ମହାମହେଶ

ପାଳିବି ନିର୍ଭୟ ମନ ।

ପୁଣ୍ୟବଳେ ବଳୀ ରିପୁଦଳେ ଦଳି

ତବ ଜୟ ସଂକୀର୍ତ୍ତନ

କରିବି ହରଷେ ମାତି ଭକ୍ତିରସେ

ଏହି ମୋର ନିବେଦନ ।

•••

 

(୯୬)

 

କାହିଁ ଯିବ ଏ ଅନାଥ

 

ଛାଡ଼ି ପ୍ରଭୁ ତୁମ୍ଭ ଦ୍ୱାରେ

ତୁମ୍ଭ ବିନା ଦୀନବନ୍ଧୁ

 

ଦୁଃଖୀ ଡାକିବ କାହାରେ ।

ପଡ଼ି ପାପ-କାରାଗାରେ,

 

ଘୋର ମୋହ-ଅନ୍ଧକାରେ

କାନ୍ଦିଲେ ମୁଁ ହାହାକାରେ

 

ଉଦ୍ଧାରିବ କେ ସଂସାରେ ।

ଶୋକସନ୍ତପ୍ତ ନିରାଶ

 

ପ୍ରାଣେ କେ ଦେବ ଆଶ୍ୱାସ

ଘୋର ସଂସାରର ତ୍ରାସ

 

କହ ପ୍ରଭୁ କେ ନିବାରେ ।

ଏକମାତ୍ର ମୋର ଗତି,

 

ପିତା ମାତା ସଖା ପତି

କେମନ୍ତ ଛାଡ଼ି ଶ୍ରୀପଦ

 

ରହିବି ମୁଁ ଏ ସଂସାରେ ।

•••

 

(୯୭)

 

ହରି ବୋଲ ଦୁଃଖ ଯାଉ ରେ ।

ପ୍ରାଣ ସୁଶୀତଳ ହେଉରେ,

ସନ୍ତାପେ ଆକୁଳ ପ୍ରାଣ ରେ ।

ପାପ-ବିଷେ ଜରଜର ରେ,

ମହୌଷଧି ସେହି ନାମରେ ।

ନାମେ ମୋର ଦୁଃଖ ଗଲା ରେ,

ମୃତସଂଜୀବନ-ମନ୍ତ୍ର ରେ ।

ଆହା କିବା ସୁମଧୁର ରେ,

ବରଷନ୍ତି ସୁଧାଧାରା ରେ,

ହରି ନାମ ମୁକ୍ତି-ମନ୍ତ୍ରରେ,

ଉଦ୍ଧାରଇ ପାପିଜନେ ରେ ।

•••

 

(୯୮)

 

ଦେଖା ଦିଅ ହେ ଦୁଃଖୀ ଅନ୍ତରେ,

ଦୁଃଖୀ ଡାକୁଛି ପ୍ରଭୁ କାତରେ ।

ପ୍ରାଣ ବିଚ୍ଛେଦ ବ୍ୟାକୁଳ ଅତି,

ଆସ ଆସ ହେ ଜୀବନପତି ।

କେତେ ମଶା କରି ଆସିଛ ହେ;

ପ୍ରଭୁ ଦେଖାଅ ପ୍ରେମ-ଆନନ ।

ମୁଁ ଚାତକ ତୁମ୍ଭେ ଦୟା ଘନ,

ଦୁଃଖୀ-କାମନା କର ପୂରଣ ।

•••

 

(୯୯)

 

ଗାଅ ଗାଅ ଗାଅ ସର୍ବ ମଧୁର ସ୍ୱରରେ

ମଧୁମୟ ବ୍ରହ୍ମନାମ ଆନନ୍ଦ ଭରେ

(ନାମଗାନେ ମାତି ଯାଅରେ)

(ନାହିଁ ତାର ପଟାନ୍ତର ରେ)

(ଜୀବନ ସାର୍ଥକ କର ରେ)

ସେ ନାମରୁ ଆହା କେତେ ଅମୃତ ଝରେ ।

(ଭୁଞ୍ଜନ୍ତି ଅମୃତ ଦେବେ ହେ)

ମଗ୍ନ ହୁଅ ପ୍ରେମେ ସେହି ସୁଧାସାଗରେ ।

(ସୁଧାମୟ ହେବ ବିଶ୍ୱ ହେ)

କୋଟି ସିଂହ-ପରାକ୍ରମ ବ୍ରହ୍ମନାମରେ ।

(ଶକ୍ତି ତାର ବଳିଆର ହେ)

ମୋକ୍ଷଧାମ ସେହି ନାମ ଏ ଜଗତରେ ।

(କେତେ ପାପୀ ତରିଗଲେ)

•••

 

(୧୦୦)

 

ଗାଅ ଆନନ୍ଦେ ସର୍ବେ ଗାଅ ଗାଅ ।

ଏକମାତ୍ର ପରମାତ୍ମା ବ୍ରହ୍ମାଣ୍ଡବିଧାତା;

ଏକମାତ୍ର ପ୍ରଭୁ ଗୁରୁ ବନ୍ଧୁ ପିତା ମାତା ।

ଏକମାତ୍ର ପରିତ୍ରାତା ପବିତ୍ର ମହାନ,

ଏକମାତ୍ର ସର୍ବସାକ୍ଷୀ ମଙ୍ଗଳନିଦାନ ।

ଏକମାତ୍ର ହିତକାରୀ ଅଗତିର ଗତି,

ଏକମାତ୍ର ପ୍ରାଣସ୍ୱାମୀ ସର୍ବଲୋକପତି ।

ଏକମାତ୍ର ଆଦିଶକ୍ତି ଅଖିଳକାରଣ,

ଏକମାତ୍ର ଶାନ୍ତିଦାତା ପତିତପାବନ ।

ଏକମାତ୍ର ଅଦ୍ୱିତୀୟ ଅନନ୍ତ ଅପାର,

ଏକମାତ୍ର ସର୍ବବ୍ୟାପୀ ବ୍ରହ୍ମ ନିରାକାର ।

ଏକମାତ୍ର ସନାତନ ସ୍ୱୟମ୍ଭୁ ଈଶ୍ୱର,

ଏକମାତ୍ର ସତ୍ୟଜ୍ୟୋତି ଅମୃତସାଗର ।

ଏକମାତ୍ର ଅନ୍ତର୍ଯ୍ୟାମୀ ଅଧମତାରଣ,

ଏକମାତ୍ର କୃପାସିନ୍ଧୁ କାତରଶରଣ ।

ଏକମାତ୍ର ଭୟହାରୀ ଭବକର୍ଣ୍ଣଧାର,

ଏକମାତ୍ର ଜଗନ୍ନାଥ ଜୀବନଆଧାର ।

ଏକମାତ୍ର ଧର୍ମରାଜ ସର୍ବଶକ୍ତିମୟ,

ଏକମାତ୍ର ସୁଧାସିନ୍ଧୁ ଆନନ୍ଦ-ଆଳୟ ।

ଏକମାତ୍ର ଜ୍ଞାନମୟ ଜାଗ୍ରତବିଧାତା,

ଏକମାତ୍ର ନ୍ୟାୟକାରୀ ନ୍ୟାୟଦଣ୍ଡଦାତା ।

ଏକମାତ୍ର ନିଷ୍କଳଙ୍କ ପାଷାଣ୍ଡଦଳନ,

ଏକମାତ୍ର ମୋକ୍ଷସେତୁ ନିତ୍ୟ-ନିରଞ୍ଜନ ।

ଏକମାତ୍ର ମୃତ୍ୟୁଞ୍ଜୟ ପ୍ରତ୍ୟକ୍ଷ ଦେବତା,

ଏକମାତ୍ର ଭଗବାନ ଭୁବନକରତା ।

ଏକମାତ୍ର ପ୍ରାଣେଶ୍ୱର ପରମସୁନ୍ଦର,

ଏକମାତ୍ର ଭକ୍ତସଖା ଭକ୍ତମନୋହର ।

ଏକମାତ୍ର କୃପାସିନ୍ଧୁ କଳୁଷଭଞ୍ଜନ,

ଏକମାତ୍ର ସିଦ୍ଧିଦାତା ସଂକଟବାରଣ ।

ଏକମାତ୍ର ପୁଣ୍ୟସୂର୍ଯ୍ୟ ବିଭୁ ଜଗଦ୍‌ଗୁରୁ,

ଏକମାତ୍ର ଭକତର ବାଞ୍ଛାକଳ୍ପତରୁ ।

ଏକମାତ୍ର ପ୍ରେମଚନ୍ଦ୍ର ହୃଦୟ ଆକାଶେ,

ଏକମାତ୍ର ପ୍ରାଣସଖା ସଦା ଦୁଃଖୀପାଶେ ।

ଏକମାତ୍ର ବିଶ୍ୱବନ୍ଦ୍ୟ ବିଘ୍ନବିନାଶନ,

ଏକମାତ୍ର ଅନ୍ନ-ଧନ-ସମ୍ପଦକାରଣ ।

ଏକମାତ୍ର ଆଦିକବି ଆଦିଚିତ୍ରକର;

ଏକମାତ୍ର ପ୍ରକାଶକ ନିଜ ସ୍ୱରୂପର ।

ଏକମାତ୍ର ଘୋର ମୋହ-ରାତ୍ରିବିନାଶନ,

ଏକମାତ୍ର ଭକ୍ତହୃଦ-ପଦ୍ମର ତପନ ।

ଏକମାତ୍ର ନିର୍ବିକାର ନିଖିଳ-ଆଶ୍ରୟ,

ଏକମାତ୍ର ଦର୍ପହାରୀ ଦୀନଦୟାମୟ ।

ଏକମାତ୍ର ବୁଦ୍ଧିଦାତା ଦୁର୍ବଳର ବଳ,

ଏକମାତ୍ର ଗତି ଆଶା-ଭରସା କେବଳ ।

ଏକମାତ୍ର ଚିଦାନନ୍ଦ ପୂର୍ଣ୍ଣ ପରମେଶ,

ଏକମାତ୍ର ପ୍ରଜାପତି ଅନାଦି ଅଶେଷ ।

ଏକମାତ୍ର ଅତୀନ୍ଦ୍ରିୟ ବାଙ୍ମୟଅତୀତ,

ଏକମାତ୍ର ମହାରାଜ ବ୍ରହ୍ମାଣ୍ଡସେବିତ ।

ଏକମାତ୍ର ଶାସ୍ତ୍ରଦାତା ପାଷାଣ୍ଡଦଳନ,

ଏକମାତ୍ର ଭୋଗହାରୀ ସନ୍ତାପହରଣ ।

ଏକମାତ୍ର ବିଶ୍ୱଲକ୍ଷ୍ମୀ ବ୍ରହ୍ମାଣ୍ଡ ଜନନୀ,

ଏକମାତ୍ର ଭକ୍ତପ୍ରାଣ ହୃଦସ୍ପର୍ଶମଣି ।

ଏକମାତ୍ର ମହାଶକ୍ତି ମହାଭୟଙ୍କରୀ,

ଏକମାତ୍ର ଜଗଦମ୍ୱା ରାଜରାଜେଶ୍ୱରୀ ।

ଏକମାତ୍ର ରିପୁକୁଳ-ସଂହାରକାରିଣୀ,

ଏକମାତ୍ର ପୁଣ୍ୟପ୍ରେମ-ସତ୍ୟପ୍ରସବିନୀ ।

ଏକମାତ୍ର ନିତ୍ୟ ନବ ନିତ୍ୟ ପୁରାତନ,

ଏକମାତ୍ର ଇଷ୍ଟଦେବ ଭୁବନମୋହନ ।

ଏକମାତ୍ର ସର୍ବାଶୟ ଇହ-ପରୋଲୋକେ,

ଏକମାତ୍ର ପ୍ରାଣାରାମ ଦୁଃଖେ ତାପେ ଶୋକେ ।

ଏକମାତ୍ର ରସସିନ୍ଧୁ ଲୀଳାମୟ ହରି,

ଏକମାତ୍ର ଯାର ନାମେ ପାପୀ ଯାଏ ତରି ।

•••

 

(୧୦୧)

 

କେତେବେଳେ ଥିବୁ ମତ୍ତ ଏ ମର୍ତ୍ତ୍ୟର ମୋହମଦେ ?

ତୋ ଦିନ ସରିଲା ଆସି ଏ ଅନିତ୍ୟ ଜନପଦେ ।

ରିପୁହସ୍ତେ ଦେଇ ପ୍ରାଣ, ହରାଇଲୁ ଆତ୍ମଜ୍ଞାନ

ଲୋଡ଼ିଲୁ ସଂସାରର ଅସାର ସୁଖ-ସମ୍ପଦେ ।

ତେଣୁ ଏ ଘୋର ଦୁର୍ଦ୍ଦଶା, ନ ଦିଶେ କିଛି ଭରସା

ବେଷ୍ଟିତ ଚୌଦିଗେ ତୁହି ପାପ ବିକାର ବିପଦେ ।

ଦିଶୁନାହିଁ ବୁଦ୍ଧି ଯଦି, ତେବେ ଭକ୍ତି-ବିଷ୍ଣୁପଦୀ-

ଜଳେ ବୁଡ଼ିଯାଇ ମନ ଡାକ ରେ ସର୍ବଶୁଭଦେ !

ଉଦ୍ଧାର କର ହେ ହରି, ଡାକ ରେ ପ୍ରାଣ ମୋହରି,

ଶୁଣିବେ ଅନାଥନାଥ ତୋର କ୍ରନ୍ଦନଶବଦେ ।

ତାଙ୍କରି ଅମୃତ ଭାଷା, ନାଶିବେ ତୋର ନିରାଶା,

ନିଭିବ ବାସନା-ବହ୍ନି ପବିତ୍ର ନିର୍ବାଣ-ହ୍ରଦେ ।

କରି ଆତ୍ମସମର୍ପଣ, ଯେ ପାଶେ ତାଙ୍କ ଶରଣ,

ଧନ୍ୟ ହୁଏ ତୋ ଜୀବନ ଲଭିଣ ପରମପଦେ ।

•••

 

(୧୦୨)

 

ତୁମ୍ଭରି ଇଚ୍ଛା କର ହେ ପୂର୍ଣ୍ଣ ମୋହର ଏ ଜୀବନେ

ଦଗ୍‌ଧ କର ମୋ ବାସନାରାଶି ପୁଣ୍ୟର ହୁତାଶନେ ।

ଏ ଜୀବନର ସକଳ ଦ୍ୱନ୍ଦ୍ୱ

ନାଶ ହେ ପ୍ରଭୁ ପରମାନନ୍ଦ,

ହର ହେ ମୋହର କୁଟିଳ ବନ୍ଧ

ମୁକ୍ତି-ଉତ୍ସବ ବିସ୍ତାର କର ହୃଦୟନିକେତନେ ।

ଏ ଅହଙ୍କାର ବିକଟାକାର

କର ହେ ପ୍ରଭୁ କର ସଂହାର,

ଘୋର ସଙ୍କଟୁ କର ଉଦ୍ଧାର

ଜୀବନ-ତରୀ କର ହେ ପାର ତାର କର୍ଣ୍ଣ-ଧାରଣେ ।

•••

 

(୧୦୩)

 

ତୁମ୍ଭରି ଆଡ଼କୁ ସଦା

 

ଥିବି ହେ ଅନାଇ,

ଏ ବାଞ୍ଛା ସଫଳ କର

 

ପ୍ରଭୁ ପ୍ରାଣସାଇଁ ।

ଭକ୍ତ ପ୍ରାଣ ସଙ୍ଗେ ମିଶି

 

ଚାହିଁଥିବି ଦିବାନିଶି

ଜୀବନେ ମରଣେ ତବ

 

ଶ୍ରୀଚରଣ ଧ୍ୟାୟି ।

ନ ପୋଷିବି ଆନ ଆଶ,

 

ଯାଉ ଯେତେ ବର୍ଷ ମାସ,

ସଂସାର ପିପାସା ପାଶୁଁ

 

କର କର ତ୍ରାହି ।

ସମ୍ପଦେ ଅବା ବିପଦେ

 

ଚାହିଁଥିବି ସେ ଶ୍ରୀପଦେ,

ସେ ଆଶ୍ରା ବିନା କାହିଁ

 

ଠାବ ମୋର ନାହିଁ ।

•••

 

(୧୦୪)

 

ସଙ୍ଖାଳି ଏକମାତ୍ର ମୋହର ହେ,

ମଙ୍ଗଳଦାତା ବିଶ୍ୱ-ଈଶ୍ୱର ହେ ।

ସର୍ବଶୁଭନିଦାନ ତବ ଦୟାବିଧାନ

ସ୍ମରି ହୃଦୟ ପୁଣ୍ୟସାଗର ହେ,

ନମଇ ଭକ୍ତିଭରେ ଅଭୟ ଶ୍ରୀପୟରେ

ଜୟ ବିଧାତା ଶିବ-ସୁନ୍ଦର ହେ ।

ତୁମ୍ଭ ପବିତ୍ର ନାମେ ଦୀନ ଉତ୍କଳଧାମେ

ଏ ନବ ଯନ୍ତ୍ର, ଜ୍ଞାନ ଭାସ୍କର ହେ,

ହୋଇ ଆଜି ସ୍ଥାପିତ ସାଧୁ ସାହିତ୍ୟ ହିତ

ତୁମ୍ଭ କୃପାରେ ହିତ-ଆକର ହେ,

ତୁମ୍ଭ କୃପାର ଡୋର ଟାଣି ଏ ପ୍ରାଣେ ମୋର

ଆଣିଛି ପଦତଳେ ତୁମ୍ଭର ହେ ।

ସେ ପ୍ରାଣ ସମର୍ପଣ କଲି ମୁଁ ଅକିଞ୍ଚନ

କର ତାହାକୁ ଚିର କିଙ୍କର ହେ ।

Image